ଅମିତ ଶାହଙ୍କୁ ଭେଟିଲେ ଏନ୍‌ଆଇଏ ମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମୁଖ୍ୟ ତଥା ମହାନିର୍ଦ୍ଦେଶକ ଦିନାକର ଗୁପ୍ତା। ଆଜି ଅମିତ ଶାହଙ୍କ ସରକାରୀ ବାସଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନାର ପ୍ରସଙ୍ଗ ନେଇ କିଛି ସରକାରୀ ଭାବେ କୁହାଯାଇ ନଥିବା ବେଳେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ସୂଚନା ମିଳିଛି।

ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ ପ୍ରଫେଟ ମହମ୍ମଦ ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ଏକାଧିକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଯାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି। ଏହି ହତ୍ୟାକାଣ୍ଡରେ ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା ମଧ୍ୟ ପାରିପାର୍ଶ୍ବିକ ଘଟଣାକ୍ରମରୁ ସ୍ପଷ୍ଟ ଅନୁମେୟ। ତେଣୁ ଏହି ସବୁ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରିବାକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ରାଜସ୍ଥାନର ଉଦୟପୁର ଓ ମହାରାଷ୍ଟ୍ର ଅମରାବତୀରେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାରୁ ନିର୍ମମ ହତ୍ୟାର ଶିକାର ହୋଇଛନ୍ତି ଦୁଇ ବ୍ୟକ୍ତି। ଏହି ଘଟଣାର ତଦନ୍ତ ସ୍ଥାନୀୟ ପୋଲିସ ପରିବର୍ତ୍ତେ ଜାତୀୟ ତଦନ୍ତକାରୀ ସଂସ୍ଥା ଜାରି ରଖିଛି। ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦେଶବ୍ୟାପୀ ଦାବି ଜୋର ଧରିଛି। ଏହାକୁ ଏକ ସାଧାରଣ ହତ୍ୟାକାଣ୍ଡ ପରିବର୍ତ୍ତେ ଆତଙ୍କୀ ଆକ୍ରମଣ ଦିଗରୁ ତଦନ୍ତ ଜାରି ରଖିଛି ଏନ୍‌ଆଇଏ। ଏପରିସ୍ଥଳେ ଏହି ସବୁ ଘଟଣା ତଦନ୍ତର ଅଗ୍ରଗତି ନେଇ ସଂସ୍ଥା ମୁଖ୍ୟ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରିଥିବା ମଧ୍ୟ ଅନୁମାନ କରାଯାଉଛି।