ସିନ୍ଦେ ଶିବସେନାର କର୍ମକର୍ତ୍ତା ନୁହଁନ୍ତି, ମୁମ୍ବାଇରେ ଆରମ୍ଭ ହୋଇଥିବା ପ୍ରକଳ୍ପ ବନ୍ଦ ନହେଉ: ଉଦ୍ଧବ

ମୁମ୍ବାଇ,ଏଜେନ୍ସି: ମୋ ଉପରେ ଥିବା ରାଗକୁ ନେଇ ମୁମ୍ବାଇବାସୀଙ୍କ ଉପରେ ଦାଉ ସାଧିବେ ନାହିଁ। ଏହା କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ବିଜେପି ପୂର୍ବରୁ ଏହା କରିଥିଲେ କେବେ ମହା ବିକାଶ ଅଘାଡ଼ି ଗଠନ ହୋଇନଥାଆନ୍ତା ବୋଲି କହିଛନ୍ତି ଉଦ୍ଧବ ଠାକ୍‌ରେ।

ପ୍ରେସ୍‌ମିଟ୍‌ରେ ଏକନାଥ ସିନ୍ଦେଙ୍କୁ କିଛି ନିବେଦନ କରିବା ସହ ବିଜେପିକୁ ଅନେକ ପ୍ରଶ୍ନ କରିଛନ୍ତି ଉଦ୍ଧବ ଠାକ୍‌ରେ। ଆଜି ପ୍ରେସ୍‌ମିଟ୍‌ କରି ଉଦ୍ଧବ ଠାକ୍‌ରେ ନବ ଗଠିତ ସରକାର ନିକଟରେ କିଛି ଭାବୁକ ଅପିଲ୍‌ କରିଛନ୍ତି। ସେ କହିଛନ୍ତି ଯେ, “ମୋ ଉପରେ ଥିବା ରାଗକୁ ନେଇ ମୁମ୍ବାଇବାସୀଙ୍କ ଉପରେ ଦାଉ ସାଧିବେ ନାହିଁ। ଏହାପୂର୍ବରୁ ବିଜେପି ଏଭଳି ପ୍ରସ୍ତାବରେ ରାଜି ହୋଇଥିଲେ କେବେ ମହା ବିକାଶ ଅଘାଡ଼ି ହିଁ ଗଠନ ହୋଇନଥାଆନ୍ତା।”

୨୦୧୯ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏନ୍‌ଡିଏ ଠାରୁ ନିଜକୁ ଅଲଗା କରିଥିଲା ଶିବସେନା। ସେହି ସମୟରେ ୨.୫ ବର୍ଷ ଶିବସେନା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ବାକି ବର୍ଷ ବିଜେପି ବିଧାୟକଙ୍କୁ ଏହି ମନ୍ତ୍ରୀ ଦେବାକୁ ଦାବି କରିଥିଲା ଶିବସେନା। ତେବେ ଏହାକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ବୁଝାମଣା ନହେବାରୁ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ ମହା ବିକାଶ ଅଘାଡ଼ି ସରକାର ଗଠନ କରିଥିଲା।

ଉଦ୍ଧବ ଠାକ୍‌ରେ ଶପଥ ଗ୍ରହଣ ସମାରୋହକୁ ନେଇ କହିଛନ୍ତି ଯେ, “୨୦୧୯ରେ ଏ ବାବଦରେ ମୁଁ ଅମିତ ଶାହଙ୍କ ସହ କଥା ହୋଇଥିଲି। ସେତେବେଳେ ଏଥିରେ ରାଜି ହୋଇଥିଲେ ଶିବସେନା ଆନୁଷ୍ଠାନିକ ଭାବରେ ଆଜି ବିଜେପି ସହ ରହିଥାଆନ୍ତା। ଆଜିର ମୁଖ୍ୟମନ୍ତ୍ରୀ ଶିବସେନାର କର୍ମକର୍ତ୍ତା ନୁହଁନ୍ତି। ରାଗରେ ମୁମ୍ବାଇରେ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ବନ୍ଦ କରିବେ ନାହିଁ। ମୁମ୍ବାଇର ପରିବେଶ ହାନୀ ପହଞ୍ଚାଇବେ ନାହିଁ। ମେଟ୍ରୋ ସେଡ୍‌ ପ୍ରକଳ୍ପକୁ ବନ୍ଦ କରିବେ ନାହିଁ।”