ପାଟନା,ଏଜେନ୍ସି: ବିହାର ରାଜଧାନୀ ପାଟନା ସ୍ଥିତ ସିଭିଲ କୋର୍ଟରେ ଫୁଟିଲା ବୋମା। ଆଜି ସିଭିଲ କୋର୍ଟ ଭିତରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣେ ପୁଲିସ ଅଫିସର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବୋମାଟିକୁ କୋର୍ଟରେ ଉପସ୍ଥାପନ କରାଯାଉଥିଲା। ଏହି ସମୟରେ ବୋମାଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣର ଶବ୍ଦ ପରେ କୋର୍ଟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଷ୍ଟେସନ ଏସ୍ଏଚ୍ଓ କହିଛନ୍ତି, ”ବୋମା ବିସ୍ଫୋରଣରେ ସବ୍ ଇନ୍ସପେକ୍ଟର ଉମାକାନ୍ତ ରାୟ ଆହତ ହୋଇଛନ୍ତି। କିଛି ଦିନ ତଳେ ଉମାକାନ୍ତ ନିଜ ଅଞ୍ଚଳରୁ କିଛି ଅଫୁଟା ବୋମା ଜବତ କରିଥିଲେ ଏବଂ ତଦନ୍ତ ପ୍ରକ୍ରିୟାର ଏକ ଅଂଶ ଭାବେ ବୋମାଗୁଡିକୁ କୋର୍ଟରେ ଉପସ୍ଥାପନ କରିବାକୁ ଆଣିଥିଲେ। ସେ ଏକ ବାକ୍ସ ମଧ୍ୟରେ ବୋମାଗୁଡିକୁ ଆଣି ସରକାରୀ ଓକିଲଙ୍କ ଟେବୁଲ ଉପରେ ରଖଥିଲେ। ଏହି ସମୟରେ ସେଥିମଧ୍ୟରୁ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା। ଏହି ଘଟଣା ପରେ କୋର୍ଟରୁମରେ ଉପସ୍ଥିତ ଥିବା ଲୋକେ ଖୁବ୍ ଭୟଭୀତ ହୋଇଯାଇଥିଲେ।” ତେବେ ବୋମାଗୁଡିକୁ କୋର୍ଟକୁ ଆଣିବା ପୂର୍ବରୁ ଏହାକୁ ନିଷ୍କ୍ରିୟ କରାଯାଇଥିଲା ନା ନାହିଁ ସେନେଇ ଯାଞ୍ଚ କରାଯିବ ବୋଲି ଏସ୍ଏଚ୍ଓ କହିଛନ୍ତି।