ଅମରାବତୀ,ଏଜେନ୍ସି: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରୁଛନ୍ତି। ପୂର୍ବରୁ ଓଡିଶା ନବୀନ ପଟ୍ଟନାୟକ, ବିହାରରେ ଏଲଜେପିଆର, ହମ ଏବଂ ଜେଡିୟୁ ଏନଡିଏର ପ୍ରାର୍ଥୀ ଚୟନକୁ ପ୍ରଶଂସା କରି ସମର୍ଥନ କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ୱାଇଏସଆର୍ କଂଗ୍ରେସ ପାର୍ଟି ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି।
ଗୁରୁବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରିଛନ୍ତି। ଏହିସବୁ ଘଟଣାକୁ ଲକ୍ଷ୍ୟ କଲେ ମୁର୍ମୁଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି। ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତାହାହେଲେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ। ଆନ୍ଧ୍ର ସରକାରଙ୍କ ସରକାରୀଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଜରିଆରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି। ଏଥିସହ ଆଜି ମୁର୍ମୁଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ଦଳର ଦୁଇ ସାଂସଦ ଉପସ୍ଥିତ ରହିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଜଗନ ମୋହନ।
ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ସବୁବେଳେ ଏସସି, ଏସଟି, ବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇଥାନ୍ତି। ଗତ ତିନି ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟର ଉତ୍ଥାନକୁ ଖୁବ୍ ମହତ୍ବ ଦେଇଛନ୍ତି ଏବଂ ସେମାନଙ୍କୁ କ୍ୟାବିନେଟରେ ପ୍ରତିନିଧିତ୍ବ କରିବାର ସୁଯୋଗ ଦେବାକୁ ଉଦ୍ୟମ କରିଛନ୍ତି। ଏହିସବୁ ଦୃଷ୍ଟିରୁ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାର ଏନଡିଏ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ।