ପାଟଣା,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ପ୍ରାୟ ୧୪ଟି ରାଜ୍ୟରେ ହିଂସା, ଉତ୍ତେଜନା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଅଗ୍ନିପଥର ନିଆଁ ସର୍ବାଧିକ ଦେଖିବାକୁ ମିଳିଛି ବିହାରରେ। ଏଠାରେ ରେଳଷ୍ଟେସନ ହେଉକି ବଜାର, ଚାରିଆଡେ ଅଗ୍ନିକାଣ୍ଡ ଓ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ ରେଳବାଇର ୭୦୦ କୋଟି ଟଙ୍କାର ସଂପତ୍ତି ଧୂଳିସାତ ହୋଇସାରିଛି। ଉପଦ୍ରବକାରୀମାନେ ୧୫ଟି ଜିଲ୍ଲାରେ ଉପଦ୍ରବ କରିଛନ୍ତି।
ବିଗତ ୪ ଦିନ ଭିତରେ ବିହାରରେ ୬୦ଟି ଟ୍ରେନ୍ ବଗି ସହିତ ୧୧ଟି ଇଞ୍ଜିନରେ ଅଗ୍ନିକାଣ୍ଡ ହୋଇଛି। ଶନିବାର ପାଟଣାରୁ କିଛି ଦୂର ତାରେଗନାରେ ଜିଆରପି ଛକ ଆଗରେ ପ୍ରଦର୍ଶନକାରୀମାନେ ନିଆଁ ଲଗାଇଥିଲେ। ଷ୍ଟେସନରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା। ଶୁକ୍ରବାର ବିରୋଧର ନିଆଁ ଦାନାପୁର ରେଳ ମଣ୍ଡଳରେ ୨୨୫ କୋଟି ଟଙ୍କାର ସଂପତ୍ତି କ୍ଷତି ହୋଇଥିଲା। ଦାନାପୁରରେ ପାର୍ସଲର ୨ ଡର୍ଜନରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା।
ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ ଏକ ଜେନେରାଲ ବଗି ନିର୍ମାଣ କରିବାକୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ସ୍ପିପର କୋଚ ପାଇଁ କୋଟିଏ ୧୫ ଲକ୍ଷ ଓ ଏସି ବଗି ନିର୍ମାଣ କରିବାକୁ ହେଲେ ସାଢ଼େ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ସରକାରଙ୍କୁ ଗୋଟିଏ ରେଳ ଇଞ୍ଜିନ ପ୍ରସ୍ତୁତ କରିବାକୁ କୋଟିଏ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ। ୧୨କୋଚ ଥିବା ପାସେଞ୍ଜର ଟ୍ରେନ୍ ନିର୍ମାଣ ପାଇଁ ୪୦କୋଟିରୁ ଅଧିକ ଓ ୨୪ କୋଚ ଟ୍ରେନ ନିର୍ମାଣ ପାଇଁ ୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ। ରାଜଧାନୀ ଓ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନିର୍ମାଣରେ ୧୧୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇଥାଏ।
ହିଂସା ଓ ପ୍ରଦର୍ଶନକୁ ନେଇ ଏପର୍ଯ୍ୟନ୍ତ ବିହାରରେ ୧୩୮ ମାମଲା ରୁଜୁ ହୋଇଛି। ୭୧୮ ଜଣ ପ୍ରଦର୍ଶନକାରୀ ଗିରଫ ହୋଇସାରିଛନ୍ତି। ବିହାର ଏଡିଜି (ଲ ଆଣ୍ଡ ଅର୍ଡର) ସଂଜୟ ସିଂହ କହିଛନ୍ତି ଯେ, ସିସିଟିଭି ଫୁଟେଜ ଓ ଭିଡିଓ ଆଧାରରେ ହିଂସା କରୁଥିବା ବ୍ୟକ୍ତିମାନଙ୍କର ପରିଚୟ ଖୋଜାଯାଉଛି। ଉତ୍ତେଜନା ପ୍ରବଣ ୧୫ ଜିଲ୍ଲାରେ ଇଣ୍ଟରନେଟ ସେବା ଜୁନ ୧୯ ଯାଏ ବନ୍ଦ କରିଦିଆଯାଇଛି।