କୋହିମା,ଏଜେନ୍ସି: ଗତବର୍ଷ ଡିସେମ୍ବର ମାସରେ ସେନା ଯବାନଙ୍କ ଗୁଳିରେ ନାଗାଲାଣ୍ଡରେ ୧୪ ସାଧାରଣ ସ୍ଥାନୀୟ ଜନତା ପ୍ରାଣ ହରାଇଥିଲେ। ଏହି ମାମଲାରେ ଗତକାଲି(ଶନିବାର) ଏସ୍ଆଇଟି ପକ୍ଷରୁ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ନାଗାଲାଣ୍ଡ ସ୍ବତନ୍ତ୍ର ତଦନ୍ତକାରୀ ଟିମ ପ୍ରଦାନ କରିଥିବା ଚାର୍ଜସିଟରେ ୩୦ ଜଣ ସୁରକ୍ଷାକର୍ମୀଙ୍କ ନାମ ଉଲ୍ଲେଖ ରହିଛି। ଏମାନଙ୍କ ବିରୋଧରେ ଆଇପିସି ଧାରା ୧୨୦(ବି), ୩୦୨, ୩୦୭, ୩୨୬, ୨୦୧, ୩୪ ଅନୁସାରା ମାମଲା ରୁଜୁ କରାଯାଇଛି।
ନାଗାଲାଣ୍ଡରେ ମୁତୟନ ହୋଇଥିବା ୨୧ଜଣ ପାରା ସ୍ପେଶାଲ୍ ଫୋର୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଘଟଣାରେ ଉଭୟ ସେନା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ପାଇଁ ଘୋଷଣା କରାଯାଇଥିଲା। ସେହିପରି ଆମ୍ବୁସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସେନା ପକ୍ଷରୁ ଏସଓପି ପାଳନ କରାଯାଇନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।
ସୂଚନାଅନୁସାରେ, ଗତବର୍ଷ ଡିସେମ୍ବର ୪ ତାରିଖରେ ଏହି ସୁରକ୍ଷାକର୍ମୀମାନେ ଉଗ୍ରବାଦୀ ମନେକରି ଭୁଲ ବଶତଃ ଉକ୍ତ ନାଗରିକଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ୧୪ ସାଧାରଣ ଜନତାଙ୍କ ସମେତ ଜଣେ ଯବାନଙ୍କୁ ମିଶାଇ ମୋଟ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନାଗାଲାଣ୍ଡ ସମେତ ସମସ୍ତ ଉତ୍ତର-ପୂର୍ବ ରାଜ୍ୟରେ ପୁଣି ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ ପ୍ରତ୍ୟାହାର ନେଇ ମଧ୍ୟ ଦାବି ମଧ୍ୟ ଜୋର ଧରିଥିଲା।