୧୩ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଜେ.ପି. ନଡ୍ଡା, ବିଜେପିର ପ୍ରସାର ନେଇ କଲେ ବିସ୍ତୃତ ଚର୍ଚ୍ଚା

ନୂଆଦିଲ୍ଲୀ,ଏଜେନ୍ସି: ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡା ଶନିବାର ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ୧୩ ଦେଶଙ୍କ ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି। ‘ବିଜେପିକୁ ଜାଣ’ କାର୍ଯ୍ୟକ୍ରମରେ ଏହି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ରିଟେନ, ସ୍ପେନ, ଫିନଲ୍ୟାଣ୍ଡ, କ୍ରୋଏସିଆ, ସର୍ବିୟା, ଅଷ୍ଟ୍ରିୟା, ଏଷ୍ଟୋନିଆ, ଲିଥୁଆନିଆ, ଜାମାଇକା, ଥାଇଲ୍ୟାଣ୍ଡ, ମରିସସ୍, ନେପାଳ ଓ ଚେକ୍ ଗଣରାଜ୍ୟ ଆଦିର ରାଷ୍ଟ୍ରଦୂତମାନେ ଅଂଶଗ୍ରହଣ କରିଥିଲେ।

ବିଜେପିକୁ ଜାଣ କାର୍ଯ୍ୟକ୍ରମରେ ଦଳୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ବିଜେପି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ଏଥିରେ ବିଜେପିର ବିସ୍ତାର, ସଦସ୍ୟତା ଓ ସଂରଚନାରେ ବୃଦ୍ଧି, ବିଜେପିର ବିଭାଗ ଓ ଅଗ୍ରଣୀ ସଙ୍ଗଠନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି ଅବସରରେ ୧୯୫୧ରୁ ଭାରତୀୟ ଜନତା ପାର୍ଟିର ଯାତ୍ରା ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଆଲୋଚନା କାଳରେ ବିଦେଶୀ ରାଷ୍ଟ୍ରଦୂତମାନେ ଭାରତ ସହିତ ସେମାନଙ୍କ ଦେଶର ଦ୍ୱିପାକ୍ଷୀୟ ସମ୍ପର୍କର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସୂଚିତ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ ବିଜେପିକୁ ଜାଣ କାର୍ଯ୍ୟକ୍ରମରେ ନଡ୍ଡା ବିଦେଶୀ ରାଷ୍ଟ୍ରଦୂତଙ୍କୁ ଭେଟିବାର ଏହା ଚତୁର୍ଥ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ନଡ୍ଡା ଏପର୍ଯ୍ୟନ୍ତ ୩୪ ଦେଶଙ୍କ ବୈଦେଶିକ ରାଷ୍ଟ୍ର ଦୂତଙ୍କ ସହିତ ଆଲୋଚନା କଲେଣି। ଚଳିତମାସ ପ୍ରାରମ୍ଭରେ ଅନୁଷ୍ଠିତ ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ସେତେବେଳେ ବିଜେପି ପ୍ରମୁଖ ଲାଓସ, ଋଷିଆ, କ୍ୟୁବା, ତାଜିକିସ୍ତାନ, କିର୍ଗିଜସ୍ତାନ, ଉଜବେକିସ୍ତାନ ଓ ତୁର୍କିୟେଙ୍କ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିଲେ। ବିଜେପି ବୈଦେଶିକ ବ୍ୟାପାର ଶାଖା ପ୍ରମୁଖ ବିଜୟ ଚୌଥୱାଲେ ନରେନ୍ଦ୍ର ମୋଦିଙ୍କ ସରକାର ଯୋଗୁ ଭାରତର ବୈଶ୍ୱିକ ପରିଚୟ ବଢିଥିବା କହିଛନ୍ତି। ଏଣୁ ଏହି ମାସରେ ଆମର ଏପରି ୩ରୁ ୪ ସମ୍ବାଦ ହୋଇପାରେ ବୋଲି ସେ କହିଛନ୍ତି।