ରାଞ୍ଚିରେ ହିଂସା: ଚିକିତ୍ସାଧୀନ ୨ ଗୁରୁତରଙ୍କ ହସ୍ପିଟାଲରେ ମୃତ୍ୟୁ, ସହରରେ କର୍ଫ୍ୟୁ ଜାରି

ରାଞ୍ଚି,ଏଜେନ୍ସି: ମହାପୁରୁଷ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦ କାରଣରୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶୁକ୍ରବାର ହିଂସା ଦେଖାଯାଇଛି। ଉପଦ୍ରବ ସମୟରେ ଗୁରୁତର ହୋଇଥିବା ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁଦସିର ଓରଫ କ୍ୟାଫି। ଏବେବି ୮ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁସାରେ ପ୍ରଦର୍ଶନକାରୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଥିଲେ। ମୁଖ୍ୟ ରାସ୍ତାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଶୋଭାଯାତ୍ରା ବାହାର କରିଥିଲେ। ସେମାନେ ଶ୍ଲୋଗାନ ଦେଇଥିଲେ। ଏଥି ସହିତ କୁଶପୁତ୍ତଳିକା ଦାହ କରିଥିଲେ। ଏହା ପରେ ଦେଖୁ ଦେଖୁ ପ୍ରଦର୍ଶନ ହିଂସାରେ ପରିଣତ ହୋଇଥିଲା। ପ୍ରଦର୍ଶନ ଉଗ୍ର ରୂପ ନେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଓ ଫାଙ୍କା ଗୁଳିଚାଳନା କରିଥିଲା। ତେବେ ଭିଡରେ ଥିବା ଲୋକେ ପଥରମାଡ଼ କରିଥିଲେ। ଏଥିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ପରେ ପୋଲିସ ଭିଡକୁ ନିୟନ୍ତ୍ରଣ କରିପାରିଥିଲା।

ହିଂସାରେ ସାମିଲ ଥିବା ୧୦ ଜଣ ଗୁରତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏବେ ପୂରା ରାଞ୍ଚିରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି। ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି।