ବାରବାଟୀ ପ୍ରସ୍ତୁତ: ଆସନ୍ତାକାଲି ମ୍ୟାଚ୍‌, ଆଜି ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିିକା ଖେଳାଳି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ୍ ଆୟୋଜନ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ ହୋଇସାରିଛି। ଉଭୟ ଟିମ୍ ମଧ୍ୟରେ ଜୁନ୍ ୧୨ ତାରିଖରେ ମୁକାବିଲା ହେବ। ଏଥି ପାଇଁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଓ ହୋଟେଲରେ ପହଞ୍ଚିଲା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଖେଳାଳିମାନେ ଶୁକ୍ରବାର ସଂପୂର୍ଣ୍ଣ ରୂପେ ବିଶ୍ରାମ ନେଇଥିଲେ। ଆଜି ଉଭୟ ଦଳ ବାରବାଟୀ ପିଚ୍ ଦେଖିବାକୁ ଯିବେ। ଦକ୍ଷିଣ ଆଫ୍ରିକା ଟିମ୍ ପୂର୍ବାହ୍ନ ସାଢ଼େ ୧୧ଟାରେ ହୋଟେଲ ଛାଡ଼ି ବାରବାଟୀ ଯିବେ। ସେଠାରେ ସେମାନେ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା ପାଇଁ ସୂଚୀ ରହିଛି। ସେହିଭଳି ଭାରତୀୟ ଦଳ ଅପରାହ୍ନ ୩ଟାରେ ହୋଟେଲ ଛାଡ଼ି ସନ୍ଧ୍ୟା ୫ଟାରୁ ୮ଟା ଯାଏଁ ଅଭ୍ୟାସ କରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୫ଟି ଟି-୨୦ ମ୍ୟାଚର ଶୃଙ୍ଖଳାରେ ଭାରତ ଗୁରୁବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି। ଶୃଙ୍ଖଳାର ୨ୟ ମ୍ୟାଚ କଟକର ବାରବାଟୀରେ ଜୁନ୍ ୧୨ ତାରିଖରେ ଖେଳାଯିବ। ମ୍ୟାଚ ଆୟୋଜନ ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଗତକାଲି ସବୁ ଅଫଲାଇନ୍ ଟିକେଟ ବିକ୍ରି ହୋଇସାରିଛି। ଶାନ୍ତିଶୃଙ୍ଖଳାର ସହିତ ମ୍ୟାଚ ଆୟୋଜନ ପାଇଁ ବ୍ୟାପକ ପୋଲିସ ମୁତୟନ ହେବେ।