ଅହମ୍ମଦାବାଦ,ଏଜେନ୍ସି: ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବାଂଲାଦେଶରୁ ଆବୁଧାବି ଯାଉଥିବା ବିମାନ। ଏୟାର ଆରବିଆ ଏୟାର-ଲାଇନ୍ସର ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯିବା ଫଳରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଏହି ଘଟଣାରେ ବେସାମରିକ ଉଡାଣ ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି।
କେଉଁ ପରିସ୍ଥିତିରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାର ତଦନ୍ତ କରାଯିବା। ପ୍ରାଥମିକ ତଦନ୍ତ ଡିଜିସିଏର ଏୟାରକ୍ରାଫ୍ଟ ତଦନ୍ତକାରୀ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି। ସାଉଦି ଆରବିଆ ଏୟାର ଲାଇନ୍ସର ଏ୩୨୦-ଏ୬-ଏଓଟି ବିମାନଟି ବାଂଲାଦେଶରୁ ଉଡାଣ ଭରିଥିଲା। ଭାରତୀୟ ଆକାଶ ସୀମାରେ ଉଡୁଥିବା ବେଳେ ବିମାନର ଗୋଟିଏ ଇଞ୍ଜିନରେ କିଛି ଯାନ୍ତ୍ରିକ ତ୍ରୁଟିଥିବା ସୂଚନା ପାଇଥିଲେ ବିମାନର ବୈଷୟିକ ଟିମ। ବିମାନରେ ଇସିଏମ୍ଏ ଚେତାବନୀ ମଧ୍ୟ ଜାରି ହୋଇଥିଲା। ପରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।
ତେବେ ବିମାନଟି ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କ ସମେତ ବିମାନ କ୍ର୍ୟୁ ସଦସ୍ୟ ମଧ୍ୟ ସୁସ୍ଥ ଅଛନ୍ତି। ସମ୍ପୃକ୍ତ ବିମାନ କମ୍ପାନୀ ପକ୍ଷରୁ ମଧ୍ୟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ବିମାନର ନିରୀକ୍ଷଣ କରିବା ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଭାରତୀୟ ବେସାମରିକ ଉଡାଣ ମନ୍ତ୍ରଣାଳୟ ଡିଜିସିଏ ମଧ୍ୟ ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛି।