ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ, ଟ୍ରକ୍ ଧକ୍କା ଦେବାରୁ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ବାଡ଼ମେର,ଏଜେନ୍ସି: ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁଡାମାଲାନୀ ରାମଜୀର ଗୋଲ ମେଗା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାର ଶିକାର ହୋଇଛନ୍ତି ଗୋଟିଏ ପରିବାରର ଲୋକେ। ବିବାହ ସମାରୋହରେ ସାମିଲ ହେବାକୁ ଏମାନେ ଜାଲୋରୁ ବାଡ଼ମେର ଯାଉଥିଲେ। ଯେଉଁ ଏସ୍‌ୟୁଭି କାରରେ ବସି ଏହି ପରିବାର ବାଡ଼ମେର ଯାଉଥିଲେ, ସେହି ରାସ୍ତାରେ ଟ୍ରକ ସହିତ ଭୟଙ୍କର ଧକ୍କା ହୋଇଥିଲା। ଦୁର୍ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୪ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଜନିତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମାମଲାର ତଦନ୍ତ କରୁଛି। ପୋଲିସ ମୃତଦେହ ଗୁଡାମାଲାନୀର ହସ୍ପିଟାଲ ଶବଗୃହରେ ରଖିଛି।