ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜନତା ପାର୍ଟି ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି। ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ। ଯାହା ପରେ ଏହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଥିଲା। ଏହି ବିବୃତ୍ତିରେ ଉତ୍ତେଜନା ପରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେପି ନୂପୁର ଶର୍ମାଙ୍କ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି।
ରବିବାର ବିଜେନି ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ଏହି ବିବୃତ୍ତିରେ ବିଜେପି ପକ୍ଷରୁ କୁହାଯାଇଥିଲା କି ଦଳ ସମସ୍ତ ଧର୍ମକୁ ସମ୍ମାନ କରେ। କୌଣସି ଧର୍ମର ବ୍ୟକ୍ତିର ଅପମାନକୁ କଡ଼ା ନିନ୍ଦା କରୁଛି। ତେବେ ପାର୍ଟି ଏହି ବୟାନରେ ନୂପୁର ଶର୍ମାଙ୍କ ଉଲ୍ଲେଖ କରିନାହିଁ। ତେବେ ଏହି ବିବୃତ୍ତିର କିଛି ସମୟ ପରେ ନୂପୁର ଶର୍ମାଙ୍କୁ ଦଳ ନିଲମ୍ବିତ କରିଥିଲା।
ସୂଚନା ଅନୁସାରେ, ନିକଟରେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଜ୍ଞାନବାପି ମସଜିଦ ମାମଲାରେ ନିଜର ମତ ଦେଇଥିଲେ। ଏହି ସମୟରେ ସେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଏକ ବିବୃତ୍ତି ଦେଇଥିଲେ। ଏହି ବିବୃତ୍ତିକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା, ଘୃଣା ବିସ୍ତାର କରିବା ଏବଂ ଅନ୍ୟ ଧର୍ମ ବିରୁଦ୍ଧରେ ମନ୍ତବ୍ୟ ଦେବା ପାଇଁ ନୂପୁର ଶର୍ମାଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଥିଲା।