ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ଆଜି, ପୂର୍ବାହ୍ନ ୧୧:୪୫ରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେବ। ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ଏଥି ପାଇଁ ପୂର୍ବାହ୍ନ ୧୧:୪୫ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି ସମାରୋହରେ ରାଜ୍ୟର ସମସ୍ତ ବିଧାୟକଙ୍କ ସମେତ ପାଖାପାଖି ୫୦୦ ଅତିଥି ଯୋଗାଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ନୀବନ ସରକାରରେ ଥିବା ମନ୍ତ୍ରୀମାନଙ୍କୁ କୁହାଯାଇଥିଲା ଯେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦିଅନ୍ତୁ। ଅଚାନକ ଏହି ଖବର ଶୁଣି ମନ୍ତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନବୀନଙ୍କ ଆଦେଶ ଥିବାରୁ ଅନ୍ୟ ଉପାୟ ନ ପାଇଁ ଶେଷରେ ଜଣକ ପରେ ଜଣେ ଇ-ମେଲ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଏପରିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କହିଥିଲେ ସରକାର। ଇସ୍ତଫାପତ୍ର ଗୁଡ଼ିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟକୁ ପଠାଇଥିଲେ। ରାଜ୍ୟପାଳ ଏହାକୁ ମଞ୍ଜୁର କରିଥିଲେ।

ତେବେ ନବୀନ ହଠାତ୍ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବାର ପଛରେ କିଛି ବଡ଼ ଉଦ୍ଦେଶ୍ୟ ରହିଥାଇ ପାରେ। ମନ୍ତ୍ରିମଣ୍ଡଳରେ ଟାଣୁଆ ନେତାମାନଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ ମଧ୍ୟ କୁହାଯାଉଥିଲା। ବିଶେଷ କରି ଯେଉଁମନ୍ତ୍ରୀଙ୍କ ନାଁରେ ମାମଲା ରହିଛି ଅଥବା ସେମାନଙ୍କର ପ୍ରଦର୍ଶନ ସେତେ ଭଲ ନୁହେଁ, ସେମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବା ଆଶା ଦେଖାଯାଉ ନାହିଁ। ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଇସ୍ତଫା ଦେଇଥିବା କିଛି ମନ୍ତ୍ରୀଙ୍କୁ ସୁଯୋଗ ମିଳିପାରେ। ସେହିପରି ଯେଉଁ ବିଧାୟକମାନେ ଅନେକ ଥର ନିର୍ବାଚନ ଜିତିଛନ୍ତି, ସେମାନେଙ୍କୁ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।