ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୋନିଆଙ୍କ ବ୍ୟତୀତ ପାର୍ଟି ନେତା କେସୀ ବେଣୁଗୋପାଳ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରିୟଙ୍କା ମା’ ସୋନିିଆଙ୍କ ସମ୍ପର୍କରେ ଆସିଥିବାରୁ ଲଖନଊରୁ ଦିଲ୍ଲୀ ଫେରି ଯାଇଛନ୍ତି । କିନ୍ତୁ ପ୍ରିୟଙ୍କା ଏପର୍ଯ୍ୟନ୍ତ କରୋନା ଟେଷ୍ଟ କରାଇ ନାହାନ୍ତି । କଂଗ୍ରେସର ଅନେକ ନେତାଙ୍କଠାରେ କରୋନା ଲକ୍ଷଣ ମିଳିଥିବାରୁ ସଭିଙ୍କୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି ।
କଂଗ୍ରେସ ତରଫରୁ କୁହାଯାଇଛି ଯେ, ଗତ କିଛିଦିନ ହେବ ସୋନିଆ ଗାନ୍ଧୀ ପାର୍ଟିର ଅନେକ ନେତାଙ୍କୁ ଭେଟିଥିଲେ । ସେଥିମଧ୍ୟରୁ କିଛି ନେତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋନିଆଙ୍କଠାରେ ହାଲୁକା ଜ୍ୱର ଦେଖିବାକୁ ମିଳିବାରୁ କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସୋନିଆ ନିଜକୁ ଆଇସୋଲେଟ କରି ନେଇଛନ୍ତି ।