ଭୁବନେଶ୍ବର,ଏନ୍ଏନ୍ଏସ୍: ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ଖାଲି ହୋଇଥିବା ୪ଟି ରାଜ୍ୟସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଜାରି ହୋଇଛି ପ୍ରେସ ରିଲିଜ। ଜାରି ପ୍ରେସ ରିଲିଜ ଅନୁସାରେ ୪ଟି ଆସନ ପାଇଁ ଦଳର ବରିଷ୍ଠ ନେତ୍ରୀ ତଥା ଦଳୀୟ ମୁଖପାତ୍ର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ରାଜ୍ୟସଭା ଯିବେ। ନବୀନ ଯେଉଁ ଗୋଟିଏ ସର୍ପ୍ରାଇଜ୍ କାର୍ଡ ଖେଳିଛନ୍ତି ସେ ହେଉଛନ୍ତି ନିରଞ୍ଜନ ବିଶି। ପଶ୍ଚିମ ଓଡ଼ିଶାର ଜଣେ ଆଦିବାସୀ ଚେହେରା ନିରଞ୍ଜନ । ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ। ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ।
ରାଜ୍ୟସଭାରେ ଓଡିଶା ଭାଗରୁ ୪ଟି ଆସନ ଖାଲି ହୋଇଥିବା ବେଳେ ଆଶାୟୀଙ୍କ ସଂଖ୍ୟା ୪ ଗୁଣା ଥିଲା। ରାଜ୍ୟସଭା ଯିବା ପାଇଁ ଅନେକ ଦଳୀୟ ନେତା, ନେତ୍ରୀ ଓ ରାଜନୀତିରେ ନଥିବା ଅନେକ ପ୍ରତିଷ୍ଠିତ ଲୋକ ଆଶାୟୀ ଥିଲେ। ହେଲେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିଛନ୍ତି ନବୀନ। କାରଣ ନବୀନଙ୍କ ପ୍ରାର୍ଥୀତ୍ବ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାରୁ ରହିଛି। ଯାହା ଆଗାମୀ ଦିନରେ ଦଳକୁ ସଫଳତା ଦେବ ବୋଲି ଆଶା ରଖିଛନ୍ତି ନବୀନ। ଏହାସହ ସଂଗଠନକୁ ସନ୍ତୁଳନ ରଖିବାକୁ ଚେଷ୍ଟା କରିଛନ୍ତି।