ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପରୀକ୍ଷା ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଇନଫୋସିଟିରେ ଏହି ଆଣ୍ଟିଜେନ୍ ଟେଷ୍ଟ କିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍ ପହଞ୍ଚିପାରିବ। ଓଡିଶା ସ୍ଥିତ ବାୟୋଟେକ୍ କମ୍ପାନି ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ୍ ଆଂଟିଜେନ୍ କିଟ୍ ପ୍ରସ୍ତୁତ କରିବ। ପୂର୍ବ ଭାରତରେ ଏହା ପ୍ରଥମ ସ୍ବଦେଶୀ କିଟ୍। ଏଥିପାଇଁ ଜୁନ୍ ୨୦୨୧ରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆରଏମ୍ଆରସି ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେବା ସହ କିଟ୍କୁ ଟେଷ୍ଟିଂ କରାଯାଇଥିଲା।
କିଟକୁ ଆଇସିଏମ୍ଆର ଅନୁମୋଦନ କରିଛି। ଗୋଟିଏ କିଟ୍ର ମୂଲ୍ୟ ୫୦ ଟଙ୍କା ରହିବ। ବଜାରରେ ମିଳୁଥିବା ଅନ୍ୟ ଟେଷ୍ଟ କିଟ୍ ଠାରୁ ଏହା ଶସ୍ତା। ଏଥିସହ ୧୫ ମିନିଟରେ ଟେଷ୍ଟର ରେଜଲ୍ଟ ଆସିଯିବ। ଗୋଟିଏ ବାକ୍ସରେ ୨୫ଟି କିଟ୍ ରହୁଛି। ଓଡ଼ିଶା ବାହାରକୁ ମଧ୍ୟ ଏହାକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇମେଜେନେକ୍ସ ଇଣ୍ଡିଆ। ୨୦୦୪ ମସିହାରେ ଭୁବନେଶ୍ବରରେ ଇମେଜେନେକ୍ସ ପ୍ରତିଷ୍ଠା ହୋଇଥିଲା।