ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ନୂତନ ବହୁତଳ ପାର୍କିଂକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ଏକର ଜମିରେ ୩୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍ ପକ୍ଷରୁ ନିର୍ମାଣ ହୋଇଛି ବହୁତଳ ପାର୍କିଂ। ୨୦୧୮ ନଭେମ୍ବରରେ ନିର୍ମାଣ ଆରମ୍ଭ ହୋଇ ୨୦୨୦ ଡିସେମ୍ବରରେ ଶେଷ ହୋଇଥିଲା। ଏହି ବହୁତଳ ପାର୍କିଂରେ ଗୋଟିଏ ସମୟରେ ୫୮୩ ଚାରି ଚକିଆ ଏବଂ ୬୦୦ଟି ଦୁଇ ଚକିଆ ଗାଡି ରହିପାରିବ।
ଏହି ପାର୍କିଂ ଏରିୟାରେ ୬ ଘଣ୍ଟା ପାଇଁ ସାଇକେଲ୍ ପାର୍କିଂ କଲେ ୫ ଟଙ୍କା, ଦୁଇ ଚକିଆ ଗାଡି ପାଇଁ ୨୦ ଟଙ୍କା, ତିନି ଚକିଆ ଗାଡି ପାଇଁ ୩୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୪୦ ଟଙ୍କା ଓ ବସ୍ ରଖିବା ପାଇଁ ୭୦ ଟଙ୍କା ଦେବାକୁ ପଡିବ। ଏଠି ଫୁଡ୍ କୋର୍ଟ ସହ ପାଣିର ବ୍ୟବସ୍ଥା ରହିଛି। ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଅଲଗା ଓ୍ଵାସ୍ ରୁମ୍ ସୁବିଧା, ଡିଜଟାଲ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଏହି ବହୁତଳ ପାର୍କିଂ ସେବା ଆରମ୍ଭ ହେଲେ ନନ୍ଦନକାନନ ପୁଲିସ ଷ୍ଟେସନ୍ରୁ ବାରଙ୍ଗ ବାଇପାସ୍ ରୋଡ୍ ଯାଏଁ ହେଉଥିବା ଟ୍ରାଫିକ୍ ଜାମ୍ କମ୍ ହୋଇଯିବ।