ପ୍ରଧାନମନ୍ତ୍ରୀ ମୋଦୀ କ୍ୱାଡ ବୈଠକ ପାଇଁ ପହଞ୍ଚିଲେ ଜାପାନ, ଭାରତୀୟ ପ୍ରଶଂସକ ଉତ୍ସାହିତ

ଟୋକିଓ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ଗସ୍ତ କରିଛନ୍ତି। ଜାପାନରେ ମୋଦୀ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟମାନେ ଉତ୍ସାହିତ ଥିବା ଦେଖାଯାଉଛି। ସମର୍ଥକମାନେ କହିଛନ୍ତି ଯେ, ମୋଦୀ ଏଠାରେ ପହଞ୍ଚିବା ପରେ ଆମକୁ ଗର୍ବ ଅନୁଭବ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଏହି ୨ ଦିନିଆ ଗସ୍ତକାଳରେ ଜାପାନରେ ୪୦ ଘଣ୍ଟା ରହିବେ ଏବଂ ଏହି ସମୟ ମଧ୍ୟରେ ସେ ୨୩ଟି କାର୍ଯ୍ୟକ୍ରମରେ ସେ ସାମିଲ ହେବେ ଏବଂ ଏଥି ସହିତ ଏକାଧିକ ବଡ଼ ଭେଟ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଜାପାନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବେ। ଏହା ବ୍ୟତୀତ ଜାପାନର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଉଭୟ ରାଜନୈତିକ ଓ କୁଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଏସଂପର୍କରେ ରାଜଦୂତ ଥିବା ଅନିଲ ତ୍ରିଗୁଣାୟତଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଗସ୍ତ ଦେଶଗୁଡ଼ିକ ମଧ୍ୟରେ ରଣନୀତିକ ଓ ବୈଶ୍ୱିକ ଭାଗିଦାରୀକୁ ଅଧିକ ମଜବୁତ କରିବ। ଏଥି ସହିତ ସମ୍ମିଳରେ ଦ୍ୱିପାକ୍ଷୀକ ସଂପର୍କକୁ ଅଧିକ ଦୃଢ଼ କରିବା ପାଇଁ ଚର୍ଚ୍ଚା ହେବ।

ତ୍ରିଗୁଣାୟତଙ୍କ କହିବା ଅନୁସାରେ ସମ୍ମିଳନୀରେ ଟେକ୍ନୋଲୋଜୀ, ଜଳବାୟୁ ପରିବର୍ତ୍ତନ, ବିକାଶ ଓ ଟିକା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେବ। ପୂର୍ବରୁ ହୋଇଥିବା ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା, ତାହା କେତେ ଅଗ୍ରଗତି କରିଛି, ସେ ନେଇ ମଧ୍ୟ ଆଲୋଚନା ହେବ।