୩୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରି: ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେ୍‌ଟ୍‌ରେ ଆଜି ୩୨ଟି ପ୍ରସ୍ତାବକୁ ମଂଜୁରି ମିଳିଛି। ଏଥିରେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଇଥିବା ବେଳେ ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ଗାଁରେ ସବୁ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ବୁଧବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି।

ଏହି କ୍ରମରେ ସରକାର ମୟୂରଭଂଜ ଜିଲ୍ଲାରେ ମେଗା ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ଖୁଣ୍ଟା, ବଡ଼ସାହି, ଉଦଳା ଓ ଗୋପବନ୍ଧୁ ନଗର ବ୍ଲକର ୬୨ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮୪ଟି ଗାଁରେ ପାନୀୟ ଜଳ ଯୋଗାଇ ଦିଆଯିବ। ୩୭୭ କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ୩ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏତଦ୍‌ ବ୍ୟତୀତ ସରକାର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପାନୀୟ ଜଳ ସଂକଟ ଦୂର କରିବା ପାଇଁ ପ୍ରକଳ୍ପ ସ୍ଥାପନ କରି‌ବେ।

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ଡିପ୍‌ ବୋର୍‌ ୱେଲ୍‌ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି। ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ। ଏଥି ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ବରଗଡ଼ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ ହେବ। ଏଥି ପାଇଁ ୧୬୦,୩୩,୦୪୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଗଂଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରି ଦେଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୫୭୫୦ ହେକ୍ଟର ଜମି ଜଳସେଚନ ହୋଇପାରିବ।

ଏହା ବ୍ୟତୀତ ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାକୁ ଆଇନ୍‌ ପ୍ରଣୟନ ପ୍ରସ୍ତାବ ଦିଆଯାଇଛି। ୨୪ଟି ଘରୋଇ ପ୍ରାଥମିକ ଉଚ୍ଚବିଦ୍ୟାଳୟକୁ ସରକାରୀ ଅନୁଦାନ, ଅନୁଗୁଳଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ବ୍ୟୟ ବରାଦକୁ ମଧ୍ୟ ମଞ୍ଜୁରି ମିଳିଛି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି ସ୍ଥିର ହୋଇଛି । ରାଜ୍ୟରେ ଏବେ ଶିଳ୍ପର ଉନ୍ନତିକୁ ନଜରରେ ରଖି ରାଜ୍ୟ ସରକାର ଏହି ପାର୍କ ପାଇଁ ବିକଶିତ ଜମି ଓ ଅର୍ଥ ଯୋଗାଇ ଦେବେ । ଏହା ଦ୍ୱାରା ଆଲୁମିନିୟମ ବ୍ୟବସାୟୀଙ୍କୁ ଆକର୍ଷିତ କରାଯାଇ ପାରିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସମ୍ଭବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ଶସ୍ତାରେ ଜମି ଯୋଗାଇ ଦେବେ । ଏନେଇ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ୫ଟି ଅଧିନରେ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ବ୍ୟାରେଜ୍ ନିର୍ମାଣ ହେବ। ଏହି ବ୍ୟାରେଜ ପାଣ୍ଡରା ନିକଟରେ ନିର୍ମାଣ ହେବ। ଏହି ପ୍ରକଳ୍ପରେ ୧୨୮ କୋଟି ଖର୍ଚ୍ଚ ହେବ। ରାଜ୍ୟ ସରକାର ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ମଂଜୁରି‌ ଦେଇଛନ୍ତି।