ପିଠାପୁର: ଦଶମୀ ପର୍ଯ୍ୟନ୍ତ ରାବିଡ଼ି ଭୋଗ

କଟକ,ଏନ୍ଏନ୍ଏସ୍ : ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହରର ପୂଜାମଣ୍ଡମଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ପର୍ବ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେଉଁଠି ଦୁର୍ଗା ତ ଆଉ କେଉଁଠି ହରପାର୍ବତୀ ପୂଜା ହେଉଛି। ତେବେ ପିଠାପୁର ଅଞ୍ଚଳରେ କାଳୀୟ ଦଳନ ପୂଜା ପାଳନ କରାଯାଉଛି। ଭଗବାନ ଶ୍ରୀକୃଷ୍ଣ କାଳୀୟ ସର୍ପ ଉପରେ ଠିଆ ହୋଇଥିବା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରିଥାଏ।

ପୁରାଣ ଅନୁଯାୟୀ ଦ୍ୱାପର ଯୁଗରେ ମା’ ଦୁର୍ଗା ଓ ଶ୍ରୀକୃଷ୍ଣ ଗୋଟିଏ ଦିନରେ ଜନ୍ମଲାଭ କରିଥିବାରୁ ଗ୍ରାମବାସୀମାନେ ଶ୍ରୀକୃଷ୍ଣଙ୍କ ଉପରେ ପ୍ରାଧାନ୍ୟ ଦେଇ କାଳୀୟ ଦଳନ ପୂଜାର ପ୍ରଚଳନ କରିଆସୁଛନ୍ତି। ଏଠାରେ ମହାଆଡ଼ମ୍ବର ସହକାରେ ପୂଜା କରାଯାଏ। ପ୍ରତିବର୍ଷ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କ ନିକଟରେ ରାବିଡ଼ି ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥାଏ।

ଇତିହାସ କହେ ୧୯୫୪ମସିହାରୁ ପିଠାପୁର ଅଞ୍ଚଳର ତତକାଳୀନ ଅଧିକାରୀ ସୂର୍ଯ୍ୟମଣୀ ସ୍ୱାଇଁ ଓ ସ୍ଥାନୀୟ ମୁରବିଙ୍କ ପ୍ରଚେଷ୍ଠାରେ ଏହି ପୂଜାର ପ୍ରଚଳନ କରାଯାଇଥିଲା। ପ୍ରଥମେ ଚାଳଘରେ ମୂର୍ତ୍ତି ନିର୍ମାଣ ହୋଇ ପୂଜା ହେଉଥିଲା। ୧୯୯୦ରେ ସ୍ଥାୟୀ ପୂଜାମଣ୍ଡପ ନିର୍ମାଣ ହୋଇଥିଲା। ସେବେଠାରୁ ଏହି ମଣ୍ଡପରେ ଠାକୁରଙ୍କ ପୂଜା ପାରମ୍ପରିକ ରୀତିରେ ପାଳନ ହୋଇଆସୁଛି।

ପ୍ରଥମେ ଜରିମେଢ଼ ହେଉଥିବାବେଳେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କାଳୀୟଦଳନ ପୂଜା କମିଟିର କର୍ମକର୍ତ୍ତାମାନେ ଆଗେଇ ଆସିଥିଲେ। ୨୦୧୫ ମସିହାରେ ଏଠାରେ କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ କରାଯିବା ସହ ୨୦୧୬ରେ ସୁନାର ବଂଶୀ ଓ କୁଣ୍ଡଳ ତିଆରି ହୋଇଥିଲା। ଯାହାକି ମୃଣ୍ମୟୀ ମୂର୍ତ୍ତିକୁ ଅଧିକ ଆକର୍ଷଣୀୟ କରିଥିଲା।