ଆସନ୍ତାକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଆଜି ନେତ୍ର ଉତ୍ସବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଗତକାଲି ଏନେଇ ସେବାୟତମାନଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ବସିଥିଲା।

ଆସନ୍ତାକାଲି ଆଶୋକାଷ୍ଟମୀରେ ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା। ୫ ଦିନ ବ୍ୟାପୀ ହେବାକୁ ଥିବା ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ହେବ ବାହୁଡ଼ା। ତେଣୁ ଆଜି ସମସ୍ତ କାର୍ଯ୍ୟ ସରି ରୁକୁଣା ରଥ ପ୍ରତିଷ୍ଠା ହେବ ଏବଂ ଆସନ୍ତାକାଲି ଆଶୋକାଷ୍ଟମୀ ଅନୁଷ୍ଠିତ ହେବ।

ରୁକୁଣା ରଥଯାତ୍ରା ପାଇଁ ପ୍ରାୟ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ବୈଠକରେ ନୀତିକାନ୍ତି ସମାପନ ପାଇଁ ଆଲୋଚନା କରାଯାଇଛି। ଏହାଛଡା ରଥରେ ସୀମିତ ସେବାୟତ ରହିବେ ବୋଲି ଆଲୋଚନାରେ ନିଷ୍ପତି ହୋଇଛି।

ଏହାଛଡା ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କିପରି ରହିବ କିଭଳି ଭକ୍ତ ମାନେ ବିନା ବାଧାରେ ରୁକୁଣା ରଥ ଦର୍ଶନ କରିବେ ତାକୁ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି।

ଏହାଛଡା ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ଡିସିପି ଉମାଶଙ୍କର ଦାଶ, ଟ୍ରାଫକ୍ ଡିସିପି କେକେ ପାଣିଗ୍ରାହୀ, ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ନୃପେଶ ନାୟକ, ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, କମଳାକାନ୍ତ ବଡ଼ୁ, ସରୋଜ ମିଶ୍ର, ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କ ସମେତ ସମସ୍ତ ଅତିରିକ୍ତ ଡିସିପି, ଏସିପି, ଥାନା ଅଧିକାରୀ ଉପସ୍ଥିତ ଥିଲେ।