କାଲିଫର୍ଣ୍ଣିଆରେ ଅଜଣା ଆତତାୟୀଙ୍କ ଗୁଳିମାଡ: ୬ ମୃତ, ୯ ଆହତ

ଓ୍ବାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ଅଜଣା ଆତତାୟୀଙ୍କ ଅତର୍କିତ ଗୁଳିମାଡରେ ୬ ଜଣ ପ୍ରାଣ ହରାଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମଗ୍ର କାଲିଫର୍ଣ୍ଣିଆରେ ହାଇଆଲର୍ଟ ଜାରି କରାଯାଇଛି।

ସୂଚନା ଅନୁସାର, ସ୍ଥାନୀୟ ସମୟ ସକାଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି। ଆକ୍ରମଣ ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଳିମାଡ ଆରମ୍ଭ ହେବା ପରେ ଲୋକମାନେ ଭୟରେ ଏଣେତେଣେ ଧାଉଁଥିବା ଦେଖିବାକୁୁ ମିଳିଥିଲା।

ଆତତାୟୀ ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ପୁରା ସହର ଉପରେ ଏକ କଡା ନଜର ରଖିବା ସହ ତଦନ୍ତକୁ ମଧ୍ୟ ତ୍ବରାନ୍ବିତ କରିଛି। କିନ୍ତୁ ବର୍ତ୍ତମାନ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଆକ୍ରମଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ।