ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏ ସମ୍ପର୍କରେ ତାଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଜନ୍ମ ଏବର ଝାରସୁଗୁଡ଼ା ଜିଲ୍ଲାର ବଣଜଙ୍ଗଲ ଘେରା ଠାକୁରପଡ଼ାରେ ଡିସେମ୍ବର ୧ ୧୯୩୯ରେ ହୋଇଥିଲା। ୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ୍ଚ ୧୯୯୦ ଏବଂ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୯ରେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶାର ପ୍ରଥମ ଅନୁସୂଚିତ ଜନଜାତି ବର୍ଗର ମୁଖ୍ୟମନ୍ତ୍ରୀ ଥିଲେ।
ତାଙ୍କ ବାପା ବାସୁଦେବ ବିଶ୍ବାଳ ଦୀର୍ଘବର୍ଷ ପର୍ଯ୍ୟନ୍ତ ସରପଞ୍ଚ ଥିଲେ। ଉର୍ମିଳା ବିଶ୍ବାଳଙ୍କୁ ବିବାହ କରିଥିଲେ। ତାଙ୍କର ୫ ଝିଅ ଅଛନ୍ତି। ୧୯୭୪ରୁ ୧୯୭୭ ଓ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ।