ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ କିଟ୍ ପରିସରରେ ଚାଲିଥିବା ୩୪ ତମ ଜାତୀୟ ସିନିୟର୍ ଭଲିବଲ୍ ଚାମ୍ପିଅନ୍ଶିପ୍ ଫେଡେରେସନ୍ କପ୍ରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ୍ ପଦକ ହାସଲ କରି ଐତିହାସିକ ସଫଳତା ପାଇଛି। ଏହି ଦଳ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ହିମାଚଳ ପ୍ରଦେଶକୁ ୩-୦ରେ ପରାସ୍ତ କରି କୌଣସି ଜାତୀୟ ସିନିୟର୍ ଭଲିବଲ୍ ଚାମ୍ପିଅନ୍ଶିପ୍ରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନରେ ରହିପାରିଛି।
ଦଳର ଏହି ଐତିହାସିକ ସଫଳତାରେ ଲିବେରୋ ମୋନାଲିସା ପାତ୍ର, ଅଧିନାୟିକା ତଥା ଆଟାକର୍ ଚେତନା ଭାଲା ଓ ବ୍ଲକର୍ ଆଞ୍ଜେଲ୍ ଜୋସେଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିପରି ଓଡ଼ିଶା ପୁରୁଷ ଦଳ ଶୁକ୍ରବାର ରାଜସ୍ଥାନକୁ ୩-୨ରେ ପରାସ୍ତ କରି ଗ୍ରୁପ୍ ଚାମ୍ପିଅନ୍ ହୋଇଛି। ଶୁକ୍ରବାର ଖେଳାଯାଇଥିବା ପୁରୁଷ ବିଭାଗର ଅନ୍ୟ ଦୁଇଟି ମୁକାବିଲାରେ ରେଲୱେ ତାମିଲନାଡ଼ୁକୁ ୩-୦ରେ ଓ କେରଳ ଆସାମକୁ ୩-୨ରେ ପରାସ୍ତ କରିଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ବ୍ରୋଞ୍ଜ୍ ପଦକ ଜିତିଥିବା ଓଡ଼ିଶା ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।