ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜି ୨ୟ ଟି-୨୦ ମୁକାବିଲା, ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ

କୋଲକାତା,ଏଜେନ୍ସି: କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍‌ରେ ବୁଧବାର ଖେଳାଯାଇଥିବା ଟି-୨୦ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୬ ୱିକେଟ୍‌ରେ ଜିତିବା ପରେ ଏବେ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିବ। ଆଜି ସନ୍ଧ୍ୟା ୭ଟାରେ ୨ୟ ଟି-୨୦ ମ୍ୟାଚ ଖେଳାଯିବ। ଅତିଥି ଟିମ୍ ଉପରେ ବିଜୟ ପାଇଁ ଘରୋଇ ଦଳ ରଣନୀତି ପ୍ରସ୍ତୁତ କରିଛି। ଏହି ମ୍ୟାଚ ଜିତିଲେ ଭାରତ ୨-୦ରେ ଅଗ୍ରଣୀ ଲାଭ କରିବ। ଅନ୍ୟପଟରେ ୱେଷ୍ଟଇଣ୍ଡିଜ ଆଜିର ମ୍ୟାଚ ଜିତିବା ପାଇଁ ଶତପ୍ରତିଶତ ଉଦ୍ୟମ କରିବ। ଭାରତ-ୱେଷ୍ଟଇଣ୍ଡିଜ ଅନ୍ତିମ ତଥା ୩ୟ ଟି-୨୦ ଆସନ୍ତା ୨୦ ତାରିଖରେ ଖେଳାଯିବ।

ପ୍ରଥମ ମୁକାବିଲାରେ ଭାରତୀୟ ଖେଳାଳିମାନେ ଉଭୟ ବୋଲିଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ। ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟର ଛକା ମାରି ଦଳକୁ ଜିତାଇଥିଲେ। ନିଜର ପଦାର୍ପଣରେ ରବି ବିଶ୍ନୋୟୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ପୁରସ୍କାର ମିଳିଥିଲା। ରବି ନିଜର ୪ ଓଭରରେ ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ଅତିଥି ଦଳ ୧୫୭ ରନ୍ କରିଥିଲେ। ଫଳରେ ଭାରରକୁ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ରୋହିତ ଶର୍ମା ୧୯ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରିଥିଲେ । ଈଶାନ କିଶନ ୪୨ଟି ବଲ୍ ଖେଳି ୩୫ ରନ୍ ଯୋଡ଼ିଥିଲେ।