ରବିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଅଶ୍ୱିନୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ “ବଜେଟ୍‌-୨୦୨୨” ପ୍ରସଙ୍ଗରେ ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ପୂର୍ବାହ୍ନରେ ସେ ଓଡ଼ିଶାରେ ପହଞ୍ଚିବେ ଏବଂ ମଧ୍ୟାନ୍ନ ୧୨ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ସେହିପରି ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନ ଠାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶାକୁ ସର୍ବକାଳୀନ ରେକର୍ଡ଼ ୯୭୩୪ କୋଟି ରେଳ ବଜେଟ୍ ଅର୍ଥ ପ୍ରଦାନ କରିଥିବାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକଙ୍କ ବିମାନ ବନ୍ଦର ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିବା ଲାଗି ବିଜେପି ସ୍ୱତନ୍ତ୍ର ପ୍ରସ୍ତୁତି କରିଛି।