ମୁମ୍ବାଇ,ଏଜେନ୍ସି: କୋଭିଡ୍-୧୯ ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବିସିସିଆଇର ପ୍ରମୁଖ ଘରୋଇ ଟୁର୍ଣ୍ଣାମେଣ୍ଟ୍ ରଣଜୀ ଟ୍ରଫି ଚଳିତ ବର୍ଷ ଆୟୋଜିତ ହେବ। ଦୁଇଟି ପର୍ଯ୍ୟାୟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ଜୁନ୍ ୨୬ରେ ଶେଷ ହେବ। ଗୁରୁବାର ବିସିସିଆଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ସଂଘଗୁଡ଼ିକୁ ଏକ ଇ-ମେଲ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଶାହଙ୍କ ସୂଚନା ଅନୁସାରେ ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୩୮ଟି ଟିମ୍ ଭାଗନେବେ ଏବଂ ମ୍ୟାଚ୍ଗୁଡ଼ିକ ୯ଟି ଭେନ୍ୟୁରେ ଖେଳାଯିବ। ଲିଗ୍ ପର୍ଯ୍ୟାୟ ଆଇପିଏଲ୍-୧୫ ପୂର୍ବରୁ ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏବଂ ଏହି ପର୍ଯ୍ୟାୟରେ ମୋଟ ୫୭ଟି ମ୍ୟାଚ୍ ଖେଳାଯିବ। ନକ୍ଆଉଟ୍ ପର୍ଯ୍ୟାୟ ଆଇପିଏଲ୍ ପରେ ମେ ୩୦ରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଟିମ୍ଗୁଡ଼ିକୁ ୯ଟି (୮ ଏଲିଟ୍ ଏବଂ ଗୋଟିଏ ପ୍ଲେଟ୍) ଗ୍ରୁପ୍ ରେ ଭାଗ କରାଯାଇଛି। ପ୍ରତ୍ୟେକ ଏଲିଟ୍ ଗ୍ରୁପ୍ରେ ୪ଟି ଲେଖାଏଁ ଟିମ୍ ଥିବାବେଳେ ପ୍ଲେଟ୍ ଗ୍ରୁପ୍ରେ ୬ଟି ଟିମ୍ ସ୍ଥାନ ପାଇଛନ୍ତି। ଏଲିଟ୍ ଟିମ୍ଗୁଡ଼ିକ ପରସ୍ପର ମଧ୍ୟରେ ଏବଂ ପ୍ଲେଟ୍ ଟିମ୍ ଗ୍ରୁପ୍ର ଅନ୍ୟ ତିନିଟି ଟିମ୍ ବିପକ୍ଷରେ ମ୍ୟାଚ୍ ଖେଳିବେ। ଏଲିଟ୍ ଗ୍ରୁପ୍ରୁ ଗୋଟିଏ ଲେଖାଏଁ ଟିମ୍ କ୍ୱାର୍ଟର୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ଆଠଟି ଏଲିଟ୍ ଗ୍ରୁପ୍ର ନିମ୍ନ ର୍ୟାଙ୍କିଙ୍ଗ୍ ଯୋଗ୍ୟତା ଅର୍ଜନକାରୀ ଟିମ୍ ପ୍ଲେଟ୍ ଗ୍ରୁପ୍ର ଶୀର୍ଷ ସ୍ଥାନୀୟ ଟିମ୍ ବିପକ୍ଷରେ ଏକମାତ୍ର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଖେଳିବେ। ଟୁର୍ଣ୍ଣାମେଣ୍ଟ୍ରେ ୬୨ ଦିନରେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ। ଏଲିଟ୍ ଗ୍ରୁପ୍ ମ୍ୟାଚ୍ଗୁଡ଼ିକ ଚେନ୍ନାଇ, ତ୍ରିଭେନ୍ଦ୍ରମ୍, କଟକ, ଦିଲ୍ଲୀ, ହରିୟାଣା, ଅହମ୍ମଦାବାଦ, ଗୁଆହାଟୀ ଓ ରାଜକୋଟରେ ଆୟୋଜିତ ହେବାକୁ ଥିବା ବେଳେ ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ଗୁଡ଼ିକ କୋଲ୍କାତାରେ ଖେଳାଯିବ। ଓଡ଼ିଶା ଡିଫେଣ୍ଡିଂ ଚାମ୍ପିଅନ୍ ସୌରାଷ୍ଟ୍ର ବ୍ୟତୀତ ଗୋଆ ଓ ମୁମ୍ବାଇ ସହ ଏଲିଟ୍ ଗ୍ରୁପ୍-ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ଅହମ୍ମଦାବାଦରେ ଖେଳାଯିବ ।
୨୦୨୧-୨୨ ରଣଜୀ ଟ୍ରଫିର ଫିକ୍ଚର୍, ପ୍ଲେଇଙ୍ଗ୍ କଣ୍ଡିସନ୍, ସ୍ୱାସ୍ଥ୍ୟ ସୁରକ୍ଷା ଗାଇଡ୍ଲାଇନ୍ ସହ ମ୍ୟାଚ୍ ଆୟୋଜନ ଗାଇଡ୍ଲାଇନ୍ ସମ୍ପର୍କରେ ଶୀଘ୍ର ରାଜ୍ୟ ସଂଘଗୁଡ଼ିକୁ ସୂଚୀତ କରାଯିବ ବୋଲି ଶାହ ତାଙ୍କ ଇ-ମେଲ୍ରେ ଦର୍ଶାଇଛନ୍ତି। ରଣଜୀ ଟ୍ରଫିର ୨୦୨୧-୨୨ ସଂସ୍କରଣ ମୂଳତଃ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାର ଥିଲା। ମାତ୍ର ଦେଶରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କଟକ ଭେନ୍ୟୁରେ ଏଲିଟ୍ ଗ୍ରୁପ୍-ବି’ର ମ୍ୟାଚ୍ଗୁଡ଼ିକର ଆୟୋଜନ କରାଯିବ। ଏହି ଗ୍ରୁପ୍ରେ ବେଙ୍ଗଲ, ବରୋଦା, ହାଇଦ୍ରାବାଦ, ଚଣ୍ଡିଗଡ଼ ଆଦି ଦଳ ସ୍ଥାନ ପାଇଥିବା ବେଳେ ମ୍ୟାଚ୍ଗୁଡ଼ିକ କଟକର ବାରବାଟୀ ଷ୍ଟାଡିୟମ୍ ବ୍ୟତୀତ ଡ୍ରିମ୍ସ ଗ୍ରାଉଣ୍ଡ୍ ଏବଂ ଭୁବନେଶ୍ୱରର କିଟ୍ ଓ ବିକାଶ ଗ୍ରାଉଣ୍ଡ୍ରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।