ନୂଆଦିଲ୍ଲୀ/ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ଣତା ଦେଖାଯାଇଛି। କ୍ଷମତାସୀନ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ପ୍ରଚାରକୁ ତୀବ୍ର କରିଦେଇଛନ୍ତି। ଆଜି ଉତ୍ତର ପ୍ରଦେଶରେ ବିଜେପିର ନିର୍ବାଚନୀ ରଥକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳାଇବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତର ପ୍ରଦେଶର ମତଦାତା ଓ ପାର୍ଟି କର୍ମକର୍ତ୍ତାଙ୍କୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିବେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରାରେ ଭିନ୍ନ ଭିନ୍ନ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସର୍ବପ୍ରଥମେ ଯୋଗୀ ଆଗ୍ରାର ଫତେହପୁର ସିକ୍ରି ଠାରେ ସ୍ଥାନୀୟ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ଏଠାରେ ବିଜେପି ପୂର୍ବତନ ସାଂସଦ ଚୌଧୁରୀ ବାବୁଲାଲଙ୍କୁ ନିଜର ପ୍ରାର୍ଥୀ କରିଛି। ଏହି ଆସନରେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରିଛନ୍ତି । ମେଣ୍ଟର ପ୍ରାର୍ଥୀ ବ୍ରଜେଶ ଚାହର ବିଜେପି ପ୍ରାର୍ଥୀ ଶ୍ରୀ ଚୌଧୁରୀଙ୍କୁ ମୁକାବିଲା କରୁଛନ୍ତି।
ନିର୍ବାଚନ ହେଉଥିବା ୫ଟି ରାଜ୍ୟରେ କୋଭିଡ-୧୯ ସ୍ଥିତି ଉପରେ ନିର୍ବାଚନ କମିଶନର ଆଜି ବୈଠକ କରିବେ। ଏହି ବୈଠକରେ ନିର୍ଦ୍ଧାରଣ କରାଯିବ ଯେ, ରାଲି ଉପରେ କଟକଣା କରାଯିବ କି ନାହିଁ। ଆୟୋଗ ଏହା ମଧ୍ୟ ନିର୍ଦ୍ଧାରିତ କରିପାରନ୍ତି ଯେ, ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ପ୍ରତକ୍ଷ୍ୟ ଭାବେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇପାରିବେ କି ନାହିଁ।