ଶ୍ରୀନଗର,ଏଜେନ୍ସି: କାଶ୍ମୀରର ସ୍ଥାନୀୟ ଯୁବକଙ୍କ ପାଇଁ କର୍ମଶାଳା ଆୟୋଜନ କଲା ଭାରତୀୟ ସେନା । ଆଜି ଭାରତୀୟ ସେନାର ରୋମିଓ ଫୋର୍ସ ଏହି ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରି ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଭାରତୀୟ ସେନାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛି। ଏଥିରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ସ୍ଥାନୀୟ ଯୁବକ ଅଂଶଗ୍ରହଣ କରିଥିଲେ।
ଏଥିରେ ସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବା ସହ ଭାରତୀୟ ସେନାର ଭିଜନ ସମ୍ପର୍କରେ ଅବଗତ କରିଥିଲେ। ସେନା ଦ୍ବାରା ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଓ୍ବାର୍କସପରେ ପ୍ରଦର୍ଶିତ ହୋଇଥିଲା। ଅସ୍ତ୍ରଶସ୍ତ୍ରର ବ୍ୟବହାର ଓ କ୍ଷମତା ସମ୍ପର୍କରେ ମଧ୍ୟ ସେନାଧିକାରୀମାନେ ଯୁବକଙ୍କୁ ସୂଚନା ପ୍ରଦାନ କରିଥିଲେ।
ଏଥିରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଏପରି ଭିନ୍ନ ଆୟୋଜନକୁ ନେଇ ବେସ ଉତ୍ସୁକତା ମଧ୍ୟ ଦେଖିବାକୁ ମିଳିଥିଲା। ଏହା ସେନାର ଏକ ଭଲ ପଦକ୍ଷେପ, ସେମାନେ ସେନାର କାର୍ଯ୍ୟଶୈଳୀ ଓ ଭିଜନ ସମ୍ପର୍କରେ ସୂଚନା ପାଇଥିବାରୁୁ ସେନାକୁ ଧନ୍ୟବାଦ ଦେଇଛନ୍ତି ଅଂଶଗ୍ରହଣକାରୀ।