ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରଗଠନ ଏବଂ ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କୁ ଆଗକୁ ବଢାଇବା ଦିଗରେ ନିଜର ପ୍ରତିବଦ୍ଧତାକୁ ଆଗେଇ ନେଇ ଡାଲମିଆ ଭାରତ ଲିଃ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା ଓପନ ୨୦୨୨’ ଆୟୋଜନ ସକାଶେ ଓଡ଼ିଶା ସରକାରଙ୍କ ସହିତ ସହଭାଗିତା କରିଛି।
ବ୍ୟାଡମିଣ୍ଟନ ୱାର୍ଲଡ ଫେଡେରେସନ (ବିଡ୍ଲ୍ୟୁଏଫ୍) ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ) ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ୨୦୨୨ ଜାନୁଆରୀ ୨୫ରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ କଟକସ୍ଥିତ ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଓଡ଼ିଶା ଓପନ୍ ୨୦୨୨ରେ ଭାରତରୁ ସାଇନା ନେହୱାଲ, ପି କଶ୍ୟପ ଓ ସୌରଭ ବର୍ମା ସମେତ ବିଶ୍ୱର ୩୩ଟି ରାଷ୍ଟ୍ରରୁ ୩୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ।
ଟୁର୍ଣ୍ଣାମେଣ୍ଟ ସହିତ କମ୍ପାନୀର ସହଯୋଗିତା ସମ୍ପର୍କରେ ପ୍ରକାଶ କରି ଡାଲମିଆ ଭାରତର ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆ କହିଛନ୍ତି, “ଓଡ଼ିଶା ଓପନ ୨୦୨୨ ଆୟୋଜନ ନିମନ୍ତେ ଓଡ଼ିଶା ଭଳି ମହାନ ରାଜ୍ୟ ଏବଂ ବିଏଆଇ ସହିତ ସହଭାଗିତା କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ। ବ୍ୟାଡମିଣ୍ଟନ ଭଳି ଏକ ସମ୍ମାନଜନକ କ୍ରୀଡା ସହିତ ଆମର ଦୀର୍ଘ ଏବଂ ସଫଳ ଇତିହାସ ରହିଆସିଛି, ଯାହା କ୍ରୀଡାଗତ ସଂହତି, ପ୍ରତିବଦ୍ଧତା ଏବଂ ମଜଭୁତପଣ ଏବଂ ସାମଗ୍ରିକ ପ୍ରଦର୍ଶନ ଭଳି ଆମର ମୂଳ ମୂଲ୍ୟବୋଧକୁ ବହନ କରୁଛି।