ମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗ, ସବୁ ଭିନ୍ନକ୍ଷମ ସାର୍ଟିଫିକେଟ୍ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିଲେ ଏଣିକି ଫସିବେ ଛାତ୍ରଛାତ୍ରୀ। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ର ଯାଞ୍ଚ କରାଯିବ। ଯଦି ଜାଲ୍ ପ୍ରମାଣପତ୍ରରେ କୌଣସି ଛାତ୍ରଛାତ୍ରୀ ଆଡ୍‌ମିଶନ୍ କରିଥାନ୍ତି ତାହେଲେ ତୁରନ୍ତ ତାଙ୍କର ଆଡ଼୍‌ମିଶନ୍ ରଦ୍ଦ କରାଯିବ। ଏହାସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ବିରୋଧରେ ଏତଲା ରୁଜୁ କରାଯିବ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ଆଡ୍‌ମିଶନ୍ ଘଟଣା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏହି ମର୍ମରେ ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ/ବେସରକାରୀ/ସେଲ୍‌ଫ୍ ଫାଇନାନ୍ସିଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ଭଦ୍ରକ କଲେଜରେ କିଛି ଛାତ୍ର ନାମ ଲେଖାଇଥିବା ଘଟଣା ବିଭାଗର ନଜରକୁ ଆସିଛି। ଏହି ବିଷୟ ଏବେ ତଦନ୍ତାଧୀନ ରହିଛି। ତଦନ୍ତ ପରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଅନ୍ୟକୌଣସି ସ୍ଥାନରେ ଏପରି ଜାଲିଆତି ସମ୍ପର୍କରେ ଜାଣିବା ଲାଗି ଭିନ୍ନକ୍ଷମ ପ୍ରମାଣପତ୍ରର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାର ସିଡିଏମ୍‌ଓଙ୍କ ଜରିଆରେ ସବୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବ। ଯାଞ୍ଚ ପରେ ମିଥ୍ୟା ପ୍ରମାଣପତ୍ର ସମ୍ପର୍କରେ ଜଣାପଡ଼ିଲେ ସମ୍ପକ୍ତ ବିଦ୍ୟାର୍ଥୀଙ୍କ ଆଡ୍‌ମିଶନ୍ ବାତିଲ୍ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ଏପରିକି ଜାଲିଆତି କରିଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ, ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଭଦ୍ରକ କଲେଜରେ ଆଡ୍‌ମିଶନ୍ ହୋଇଥିବା ଅଭିଯୋଗ ଆସିଥିଲା। ଯାହାଫଳରେ ୮୦ ପ୍ରତିଶତ ମାର୍କ ରଖି ପିଲା ଆଡ୍‌ମିଶନ୍‌ରୁ ବଞ୍ଚିତ ହୋଇଥିଲେ। ହେଲେ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାମ ଲେଖାଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭଦ୍ରକ କଲେଜ ଆଡ୍‌ମିଶନ୍ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା।