ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ଏକ ହଜାର ନୂଆ ଶୀତଳୀକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ମୁତାବକ, ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବାବେଳେ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକାରୀ ହେଉଛି । ତେବେ ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । ଏହାକୁ ଅଚଳରୁ ସଚଳ କରିବା ବ୍ୟୟ ବହୁଳ ହୋଇଥିବାରୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ । ଅନ୍ୟପଟେ ରାଜ୍ୟରେ ନୂଆ କରି ୧୦୦୦ ଶୀତଳୀକରଣ ଗୃହ ନିର୍ମାଣ ହେବ ଯାହାକି ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଏହି ଶୀତଳୀକରଣ ଗୃହ ଚାଲିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି । ସେହିପରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ରାଜ୍ୟ ସରକାର ସବଜି କୁଲର ଯୋଗାଇ ଦେବେ । ଏଥିରେ ଚାଷୀମାନେ ତାଙ୍କ ଅମଳ ହୋଇଥିବା ପନିପରିବା କିଛିଦିନ ପର୍ଯ୍ୟନ୍ତ ରଖିପାରିବେ । ଏହାକୁ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ ।