ରାଜ୍ୟରେ ୭ ଦିନରେ ସଂକ୍ରମିତ ହେଲେଣି ୮୪୮ଶିଶୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂକ୍ରମଣ ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଯେତିକି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାହାର ୧୩% କେବଳ ଏହି ବର୍ଗର ରହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣକୁ ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଥିବା ବେଳେ ଏବେଠୁ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ଚିନ୍ତା ବଢ଼ାଇଛି।

ରାଜ୍ୟରେ ଗତ ୭ ଦିନରେ ୮୪୮ଶିଶୁ ସଂକ୍ରମିତ ହେଲେଣି। ଗତ ୨୪ ଘଣ୍ଟାରେ ୯୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଅଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୫୨ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ଟିପିଆର ୧.୨୮% ରହିଥିଲା; ଯାହାକି ଗତ ୬ ମାସ ଭିତରେ ଆଜିର ଟିପିଆର ମାତ୍ରା ସବୁଠାରୁ କମ।

ସେପଟେ ଓଡ଼ିଶାରେ ଛୋଟ ପିଲାଙ୍କ ନିମନ୍ତେ ‘ଯାଇଡସ୍ କାଡିଲା’ ଟିକା ଆସିଥିବା ବେଳେ ଏହା ସେମାନଙ୍କୁ ଦେବା ନେଇ କୌଣସି ଜାତୀୟ ଗାଇଡ୍‌ଲାଇନ ଆସିନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ସେ କହିଲେ ଯେ ଗାଇଡ୍‌ଲାଇନ ଆସିବା ପରେ ଟିକା ଦେବା ପାଇଁ ଆମେ ବ୍ୟବସ୍ଥା କରିବୁ।