ରାଜ୍ୟ କ୍ୟାବିନେଟ୍‌ରେ ୮ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଓଡ଼ିଶା ସିଭିଲ ସର୍ଭିସରେ ରହିବ ଗୋଟିଏ ଅପସନାଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟ୍‌ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ଜିଏ. ପିଜି, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ମଙ୍ଗଳ, ଗୃହ , ଇସ୍ପାତ ଓ ଖଣି ପ୍ରସ୍ତାବ ମଧ୍ୟ ସାମିଲ ରହିଛି। ମୁଖ୍ୟ ସାଚନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଣିକି ପରୀକ୍ଷାର୍ଥୀମାନେ ପ୍ରବନ୍ଧ ପରୀକ୍ଷାରେ ଇଂରାଜୀ କିମ୍ବା ଓଡିଆରେ ଲେଖିପାରିବେ। ପରୀକ୍ଷାରେ କେବଳ ଗୋଟିଏ ଅପସନାଲ ବିଷୟ ରହିବ। ଅଣସଂରକ୍ଷିତ ବର୍ଗର ପିଲା ୬ ଥର ପରୀକ୍ଷା ଦେଇପାରିବେ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନେ ସର୍ବାଧିକ ୯ ଥର ପରୀକ୍ଷା ଦେଇପାରିବେ।

ସେହିଭଳି ଧାନ ସଂଗ୍ରହ ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରୁ ଆସନ୍ତା ଖରିଫ ଚାଷରେ ୫୭ ଲକ୍ଷ ମେଟ୍ରିକ ଟନ ଓ ରବି ଚାଷରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବେ ସରକାର । ନଭେମ୍ବର ରୁ ମାର୍ଚ୍ଚ ମାସ ଯାଏ ଖରିଫ ପାଇଁ ଧାନ ସଂଗ୍ରହ ହେବ ଓ ମେ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ ।