ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଏସଟିଏଫର ଚଢ଼ଉ, ୮ଟି ବନ୍ଧୁକ ସହିତ ୨ ଚୋରା ବନ୍ଧୁକ ବେପାରି ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ଚୋରା ବନ୍ଧୁକ ବେପାର ହେଉଥିବା ସୂଚନା ପାଇ ଏସଟିଏଫ୍ ଟିମ ଚଢ଼ଉ କରି ଆଜି ୮ଟି ବନ୍ଧୁକ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଏଥିସହିତ ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଏବଂ ବିକାଶ ବେହେରା। ଏସମ୍ପର୍କରେ ଏସଟିଏଫ୍ ପକ୍ଷରୁ ପ୍ରେସମିଟ ଡକାଯାଇ ସୂଚନା ଦିଆଯାଇଛି।

ଜବତ ବନ୍ଧୁକ ମଧ୍ୟରେ ଦୁଇଟି ୭ ଏମ୍ଏମ୍ ପିସ୍ତଲ ଓ ମାଗାଜିନ୍, ଗୋଟିଏ ରିଭଲଭର, ୪ଟି ଦେଶୀ ବନ୍ଧୁକ, ଗୋଟିଏ ଏସବିଏଲଏମ ଗନ୍ ଏବଂ ଆଉ ଗୋଟିଏ ଏସଏଲଆର ଗନ୍ ଜବତ ହୋଇଛି। ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ବ୍ରିଜ ନିକଟରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ କରିଥିଲା। ଏସଟିଏଫର ଟିମ୍ ସେମାନଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇଛି। ସେହିପରି ଚୋରା ବନ୍ଧୁକ ବେପାରରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।