କର୍ଣ୍ଣାଟକ: ବେଲଗାଭୀରେ କାନ୍ଥ ଭୁଶୁଡ଼ି ୨ ଶିଶୁ ସମେତ ୭ ମୃତ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଘରର କାନ୍ଥ ଭୁଶୁଡି ୨ ଜଣ ଶିଶୁ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଛି। ବାଦଲ-ଅଙ୍କାଲଗି ଗାଁରେ ବୁଧବାର ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକମାନେ ହେଲେ ଗୋଟିଏ ପରିବାରର ଲୋକ। ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥଗୁଡ଼ିକ ଦୁର୍ବଳ ହୋଇଯାଇଥିଲା। ଫଳରେ କାନ୍ଥ ଭୁଶୁଡି ଯାଇଥିଲା। ଦୁର୍ଘଟଣା ସମୟରେ ସମସ୍ତେ ଘର ଭିତରେ ଥିଲେ ବୋଲି ହିରେବାଗେୱାଡି ପୋଲିସ ଷ୍ଟେସନର ଡେପୁଟି କମିସନର ଏମ୍‌ଜି ହିରେମାଟ ଗଣମାଧ୍ୟମକୁ କହିଛନ୍ତି।

କାନ୍ଥ ଭୁଶୁଡ଼ିବା ପରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନିଆଯାଉଥିବା ବେଳେ ଅନ୍ୟ ୨ ଜଣଙ୍କର ରାସ୍ତାରେ ଜୀବନ ଯାଇଥିଲା। ମୃତକମାନେ ହେଲେ ଗଙ୍ଗାଭା ଖଙ୍ଗାଗାଭୀ (୫୦), ସତ୍ୟବାନ ଖଙ୍ଗାଗାଭୀ (୪୫), ପୂଜା (୮), ସବିତା (୨୮), କେଶବ (୮), ଲକ୍ଷ୍ମୀ (୧୫) ଓ ଅଜୁର୍ନ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ଦୁଃଖଦ ଘଟଣା ନେଇ ଶୋକ ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥି ସହିତ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।