୬ଟି ବିଶ୍ୱ ବିଦ୍ୟାଳୟରେ କୁଳପତି ଚୟନ କଲେ ରାଜ୍ୟପାଳ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଅପରାଜିତା ଚୌଧୁରୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର କିଶୋର ବାସା ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ପ୍ରଫୁଲ୍ଲ ମହାନ୍ତିଙ୍କୁ କୁଳପତି ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ଦିନଠୁ ୪ ବର୍ଷ ପର୍ଯ୍ୟନ୍ତ ଅବା ଅନ୍ୟଦେଶ ପର୍ଯ୍ୟନ୍ତ ସେମାନେ ଏହି ପଦବୀରେ ରହିବେ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଲେଜ୍ ଅଫ ଡେଭଲପମେଣ୍ଟ କାଉନସିଲର ନିର୍ଦ୍ଦେଶକ ଓ ହୋମସାଇନ୍ସ ପ୍ରଫେସର ଭାବେ ଅଧ୍ୟାପନାରେ ୩୭ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଦ୍ୱାରା ରଚିତ ୩୦ଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ୧୦ଟି ଜର୍ଣ୍ଣାଲ ଏବଂ ୫୩ଟି ସିସି ଇଣ୍ଡେକ୍ସ ମଧ୍ୟ ପ୍ରକାଶିତ ପାଇଛି। ତାଙ୍କ ଅଧିନରେ ଜଣେ ଡିଲ୍ଟେ ପାଇଥିବା ବେଳେ ୧୩ଜଣ ପିଏଚ୍ଡି ଏବଂ ୨୬ଜଣ ଏଫିଲ୍ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି।
ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚର୍ଯ୍ୟଙ୍କର ଅଧ୍ୟାପନାରେ ୩୧ବର୍ଷର ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଆନ୍େଥାପୋଲୋଜି ବିଭାଗର ପ୍ରଫେସର ଓ ପୋଷ୍ଟଗ୍ରାଜୁଏଟ କାଉନସିଲର ପୂର୍ବତନ ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରିସାରିଛନ୍ତି। ତାଙ୍କ ଦ୍ୱାରା ରଚିତ ୩୮ଟି ପୁସ୍ତକ ପ୍ରକାଶିତ ହୋଇଛି। ତାଙ୍କ ଅଧିନରେ ୬ଜଣ ପିଏଚ୍ଡି ଏବଂ ୬ଜଣ ଏଫିଲ୍ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି।
ସେହିପରି ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କର ଅଧ୍ୟାପନାରେ ୨୬ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଦ୍ୱାରା ରଚିତ ୧୬୮ଟି ପୁସ୍ତକ ପ୍ରକାଶିତ ହୋଇଛି। ତାଙ୍କ ଅଧିନରେ ୧୫ଜଣ ପିଏଚ୍ଡି ଏବଂ ୧୯ଜଣ ଏଫିଲ୍ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି।
ସେହିପର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ.ନାଗାରାଜୁ ଏବେ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୩୪ବର୍ଷର ଅଭିଜ୍ଞତା ମଧ୍ୟ ରହିଛି। ସେହିପରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର କିଶୋର କୁମାର ବାସାଙ୍କର ଅଧ୍ୟାପନାରେ ୩୮ବର୍ଷର ଅଭିଜ୍ଞତା ରହିଛି। ସେ ଭାରତ ସରକାରଙ୍କ ସଂସ୍କୃତି ବିଶ୍ୱବିଦ୍ୟାଳୟର ଟାଗୋର ନେସନାଲ ଫେଲୋରୁ ପ୍ରଫେସର ଭାବେ ଅବସର ନେଇଛନ୍ତି।
ସେହିପରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କର ଅଧ୍ୟାପନାରେ ୩୫ବର୍ଷର ଅଭିଜ୍ଞତା ରହିଛି ଓ ସେ ଜୁଓଲୋଜି ବିଭାଗର ପୂର୍ବତନ ପ୍ରଫେସର ମଧ୍ୟ। ଏହି ସମସ୍ତ ନବନିଯୁକ୍ତ କୁଳପତିମାନେ ଚଳିତମାସ ଶେଷସୁଦ୍ଧା ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।