ହାଥରସରେ ସ୍ଥିତି ବିଗାଡ଼ିବା ଆରୋପରେ ୪ ପୀଏଫ୍ଆଇ କାର୍ଯ୍ୟକର୍ତ୍ତା ଗିରଫ

ନୂଆଦିଲ୍ଲୀ: ହାଥରସ ମାମଲାରେ ରାଜନୀତି ଦିନକୁଦିନ ସରଗରମ ହେବାରେ ଲାଗିଛି। ଏହି ଘଟଣାକ୍ରମରେ ଜିଲ୍ଲାରେ ଜାତି ଆଧାରିତ ସଂଘର୍ଷର ଯୋଜନା, ସରକାରଙ୍କ ଛବି ଖରାପ କରିବାର ପ୍ରୟାସ ଓ ସ୍ଥିତି ବିିଗାଡ଼ିବା ଆରୋପରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଏମାନେ ପ୍ରତିବନ୍ଧିତ ସଂଗଠନ ପୀଏଫ୍ଆଇର ସମ୍ପର୍କରେ ଥିବା ନେଇ ସୂଚନା ମିଳିଛି।

ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, କିଛି ସନ୍ଦିଗ୍ଧ ବ୍ୟକ୍ତି ଦିଲ୍ଲୀରୁ ହାଥରସ ଯାଉଥିବା ସୂଚନା ପୁଲିସକୁ ମିଳିଥିଲା। ସେଥିପାଇଁ ଟୋଲ ପ୍ଲାଜା ମାଣ୍ଟ ପାଖରେ ସନ୍ଦିଗ୍ଧଙ୍କ ବାହାନ ଯାଞ୍ଚ କରାଯାଇଥିଲା। ସୁଇଫ୍ଟ ଡିଜାଇର ଗାଡ଼ିରେ ଯାତ୍ରା କରୁଥିବା ୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚୁରା କରାଯିବା ପରେ ସେମାନେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପୀଏଫ୍ଆଇ) ଓ ତା’ର ସହଯୋଗୀ ସଂଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ସିଏଫ୍ଆଇ) ସମ୍ପର୍କରେ ଥିବା ଜଣାପଡ଼ିଥିଲା।

ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ହାଥରସ ଜିଲ୍ଲାର ବିଭିନ୍ନ ଥାନାରେ ୬ଟି ମାମାଲା ବ୍ୟତୀତ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଆପତ୍ତିଜନକ ଟିପ୍ପଣୀ କରିବା ଆରୋପରେ ୧୩ଟି ମାମଲା ରୁଜୁ କରାଯାଇଛି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ‘ଦେଶ ଓ ପ୍ରଦେଶରେ ସାମ୍ପ୍ରଦାୟିକ ଅରାଜକତା ବଢ଼ାଇବା ସହ ଏହାକୁ ସୁଦୃଢ଼ କରିବା ପାଇଁ ବିଦେଶରୁ ଫଣ୍ଡିଂ ଅଣାଯାଉଛି।’