୪ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ, ୧୦ରୁ ବର୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି। ତେବେ ସୋନପୁର ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରାବାର ମଧ୍ୟ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଏହି ୪ ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହୁଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ଆକଳନ କରାଯାଇଛି। ବିଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନର ତାପମାତ୍ରା ପ୍ରାୟତଃ ସ୍ୱାଭାବିକ ପାଖାପାଖି ରହିଛି। ଫୁଲବାଣୀରେ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ି ହିଲ୍‌ଷ୍ଟେସନରେ ୯.୦ ଡିଗ୍ରୀ, କିରେଇରେ ୯.୭ ଡିଗ୍ରୀ, ଜି ଉଦୟଗିରିରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ସହରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା ଏବଂ ସମ୍ବଲପୁରରେ ସର୍ବାଧିକ ୨୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୩ ଦିନରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ । ଏଥିସହ ଶୀତର ପ୍ରକୋପ ମଧ୍ୟ କମିବ।

ଆଗକୁ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଥିବା ବେଳେ ୧୦ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏସବୁ ଜିଲ୍ଲାରେ ୧୦ ତାରିକ ସୁଦ୍ଧା ବର୍ଷା ହେବାର ସମ୍ଭାବନା ରହିଛି। ୧୦ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଅନ୍ୟ ଜିଲ୍ଲାରେ ମଧ୍ୟ ବର୍ଷିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁସାରେ ଗୁରୁବାର ଦିନ ଏକ ପଶ୍ଚିମାଝଡ଼ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୧କିମି ଉଚ୍ଚତାରେ ବାୟୁମଣ୍ଡଳରେ ଗୋଟିଏ ଘୂର୍ଣ୍ଣିବଳୟ ରୂପରେ ସକ୍ରିୟ ରହିଛି।

ଏହାର ପ୍ରଭାବରେ ଏକ ପ୍ରେରିତ ଘୂର୍ଣ୍ଣିବଳୟ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ତଥା ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ଓଡ଼ିଶାରେ ୧୦ ଜାନୁଆରୀ ଠାରୁ ବର୍ଷା ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ବର୍ଷାର ବିସ୍ତୃତି ଏବଂ ପରିମାଣରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ତାପମାତ୍ରା ଏବେ ବଢ଼ୁଥିବା ବେଳେ ଆଗକୁ ବର୍ଷା ଆସୁଥିବାରୁ ଶୀତର ପ୍ରକୋପ ସାମନ୍ୟ କମିବ। ଅନ୍ୟପଟେ ଏହି ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କଟା ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି। ଗତ ଡିସେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏଣୁ ଚାଷୀଙ୍କୁ ବର୍ଷା ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଛି।