କର୍ଣ୍ଣାଟକରେ ୩୬ ଘରୋଇ ଡାକ୍ତରଙ୍କ କରୋନାରେ ମୃତ୍ୟୁ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକରେ ଘରୋଇ ହସ୍ପିଟାଲ, ନର୍ସିଂ ହୋମ୍ ଏବଂ କ୍ଲିନିକରେ କାର୍ଯ୍ୟରତ ୩୬ ଡାକ୍ତରଙ୍କର ଗତ ୩ ମାସ ମଧ୍ୟରେ କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ମାନସିକ ରୋଗ ଚିକିତ୍ସିକଙ୍କ ଠାରୁ ଆରମ୍ଭ କରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ରହିଛନ୍ତି। କରୋନାରେ ଏହି ଡାକ୍ତରମାନଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର କ୍ଷତିପୂରଣ ମିଳିନାହିଁ। ଆଇଏମଏ (ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍) କର୍ଣ୍ଣାଟକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖାଯାଇ ମୃତ ଡାକ୍ତରମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଛି। ଘରୋଇ ଡାକ୍ତର ହେଲେ ମଧ୍ୟ ସେମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଏବଂ ମହାମାରୀ ଆରମ୍ଭରୁ ସେମାନେ ରୋଗୀଙ୍କର ଚିକିତ୍ସା କରୁଛନ୍ତି। ତେଣୁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ମିଳିବା ଉଚିତ୍ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି। ସରକାରୀ ଡାକ୍ତରଙ୍କୁ ମିଳୁଥିବା ୫୦ ଲକ୍ଷ ଟଙ୍କାର ବୀମା ମଧ୍ୟ ଘରୋଇ ଡାକ୍ତରଙ୍କ ପାଇଁ ଲାଗୁ କରିବାକୁ ଦାବି ହୋଇଛି।