ରାଜ୍ୟରେ ଖୋଲିବ ୩୬ ନୂତନ ଥାନା

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଥାନାଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ଭାବରେ ଖୋଲୁଥିବା ଏହି ଥାନାଗୁଡ଼ିକ ହେଲା ଅନୁଗୁଳର ବାଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପାଳପୁର ଓ ଅନନ୍ତପୁର, ବରଗଡ଼ର ବରଗଡ଼ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡ଼ା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡ଼ର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡ଼ା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୁଲିସ ଥାନା, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡ଼ାର ରାମନାଗୁଡ଼ା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା।

ଏ ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପଗ୍ରେଡେସନ୍ କରାଯାଇ ସୃଷ୍ଟି କରାଯାଇଛି। ଏହି ନୂତନ ଥାନାଗୁଡ଼ିକ ନିମନ୍ତେ ଇନସ୍ପେକ୍ଟରଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏହି ୩୬ଟି ନୂଆ ଥାନା ପ୍ରତିଷ୍ଠା ହେଵା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇ ଦେବା ଦିଗରେ ଓଡ଼ିଶା ପୁଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।