ଭୁବନେଶ୍ବର,ଏଜେନ୍ସି: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ”ସମସ୍ତଙ୍କ ପାଇଁ ଘର” ଆଭିମୁଖ୍ୟକୁ ସାକାର କରିବା ଲାଗି ଗୃହ ନିର୍ମାଣ ବିଭାଗ ସୁଲଭ ମୂଲ୍ୟରେ ଘର ତିଆରିକରି ଯୋଗାଇ ଦେବ । ଏଥିପାଇଁ ସରକାରଙ୍କ ସହଯୋଗ ମିଳିବ । ସେହିପରି ସଂସ୍ଥାର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ କହିଛନ୍ତି, ”ଗତ ୫୫ ବର୍ଷ ଧରି ରାଜ୍ୟବାସୀଙ୍କୁ ଗୃହ ଯୋଗାଇ ଦେଉଥିବା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଏକ ସ୍ବତନ୍ତ୍ର ଓ ସମୃଦ୍ଧ ପରମ୍ପରାର ଇତିହାସ ରହିଛି । ଏହି ସମୃଦ୍ଧ ପରମ୍ପରାକୁ ପୁନରୁଦ୍ଧାର କରିବାକୁ ଯାଇ ଆଗାମୀ ଏକ ବର୍ଷ ଭିତରେ ୫ ହଜାର ଫ୍ଲାଟ ତିଆରି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।”
ଖୁବଶୀଘ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ରୂପେ ସମୃଦ୍ଧ ହୋଇ ରାଜ୍ୟର ଏକ ନମ୍ବର ସଂସ୍ଥା ଭାବେ ଲୋକଙ୍କ ସାମାଜିକ ଜୀବନକୁ ସୁଦୃଢ କରିବା ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ପ୍ରାଥମିକ ପର୍ଯ୍ୟାୟରେ ପୁରୀ କଟକ ଭଳି ସହରରେ ଏହାର ଶୁଭାରମ୍ଭ ହେବ । ପରେ ପରେ ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି କଳିକେଶ । ଏଥିପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ଏବଂ ସବୁ ଜିଲ୍ଲାକୁ ଚିଠି ଲେଖାଯାଇଥିବା ଜଣାଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟରେ ଏକ ମିନି ସିଟି ତିଆରି କରିବ ଗୃହ ନିର୍ମାଣ ସଂସ୍ଥା । ଏହାନିମନ୍ତେ ୨୫ ଏକର ଜମି ରାଜ୍ୟ ସରକାରଙ୍କୁ ମଗାଯାଇଛି । ଏଥିରେ କିନ୍ନର, ବରିଷ୍ଠ ନାଗରିକ, ଶାରୀରିକ ଅକ୍ଷମତା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯିବ ।