ଆଗାମୀ ୪ ଦିନରେ ଦେଶରେ ୩୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିବ: ପିୟୁଷ ଗୋୟଲ

ନୂଆଦିଲ୍ଲୀ,ଏଜେନ୍ସି: ବାହାର ରାଜ୍ୟରେ ଫସି ଥିବା ପ୍ରବାସୀଙ୍କ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଆଉ ୩୦୦ଟି ଟ୍ରେନ ଚାଲିବ ବୋଲି ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି। ବାହାର ରାଜ୍ୟରେ ଥିବା ପ୍ରବାସୀମାନେ ବିଭିନ୍ନ ସ୍ଥାନରେ ନିଜ ଘରକୁ ଫେରିବା ପାଇଁ ଆନ୍ଦୋଳନ କରୁଥିବା ବେଳେ ସାମାଜିକ ଦୁରତ୍ୱକୁ ବଜାୟ ରଖୁନାହାନ୍ତି। ଏ ସବୁ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରମନ୍ଦ୍ରୀ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ରୁ ୪ ଦିନ ଏହି ଟ୍ରେନରେ ଶ୍ରମିକ ମାନେ ନିଜ ନିଜ ରାଜ୍ୟକୁ ଫେରିବେ।

ତେବେ ଲକଡାଉନ ଯୋଗୁଁ ଶ୍ରମିକ ମାନେ ସେଠାରେ ନିଜର ରୋଜଗାର ହରାଇଥିବା ବେଳେ ସେମାନଙ୍କ ନିକଟରେ ଅର୍ଥର ଅଭାବ ଦେଖାଦେଇଛି। ଫଳରେ ସେମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଉଥିବା ଦେଖାଯାଇଛି।

ତେବେ ବର୍ତ୍ତମାନ ସୁଦ୍ଧା ୩୬୬ଟି ଟ୍ରେନ ପାଖାପାଖି ୩ ଲକ୍ଷ ୬୦ ହଜାର ଶ୍ରମିକଙ୍କୁ ନେଇ ଭିନ୍ନ ଭିନ୍ନ ରାଜ୍ୟକୁ ବାହାରି ଯାଇଥିବା ବେଳେ ସେଥିରୁ ୨୮୭ଟି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ସାରିଛି। ସେହିପରି ୭୯ଟି ବର୍ତ୍ତମାନ ଚାଲୁ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତୀୟ ରେଲୱେ ଶ୍ରମିକ ମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବ। ଏଥି ନେଇ ଆଗାମୀ ୬ ଦିନ ମଧ୍ୟରେ ୩୦୦ଟି ଦୈନିକ ଶ୍ରମିକ ସ୍ପେସିଆଲ ଟ୍ରେନ ଚାଲିବ ବୋଲି ଶ୍ରୀ ଗୋୟଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ମେ’ ୧ରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡ଼ିକ କୌଣସି ଷ୍ଟପେଜରେ ରହିବ ନାହିଁ। ସେହିପରି ପ୍ରତି ଟ୍ରେନରେ ୨୪ଟି କୋଚ୍ ରହିବ ଯେଉଁଥିରେ ୭୨ଟି ସିଟଥିବା ବେଳେ
୫୦ଜଣ ଯିବାକୁ ଅନୁମତି ରହିଛି।