ଭାରତକୁ ଏଡିବିରୁ ମିଳିବ ୩୦୦ ମିଲିୟନ ଡଲାରର ଋଣ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୧୩ଟି ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଭାରତ ସରକାର ଏସିୟା ବିକାଶ ବ୍ୟାଙ୍କ(ଏଡିବି)ଠାରୁ ୩୦୦ ନିୟୁତ ଡଲାର ଋଣ ନିମନ୍ତେ ସ୍ୱାକ୍ଷର କରିଛନ୍ତି। ଋଣ ଲବ୍ଧ ଏହି ଅର୍ଥରେ ସହରାଞ୍ଚଳମାନଙ୍କର ବସ୍ତିରେ ରହୁଥିବା ଲୋକଙ୍କ ସମେତ ୨୫.୬ କୋଟି ଲୋକେ ଲାଭବାନ ହେବେ।

କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏ ବାବଦରେ ସୂଚନା ଦେଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ଶାସନ ସଚିବ ରଜତ କୁମାର ମିଶ୍ର ଓ ଏଡିବିଙ୍କ କଣ୍ଟ୍ରି ଡାଇରେକ୍ଟର ତାକେଓ କୋନିଶି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଦେଶକୁ ସାର୍ବଭୌମ ସ୍ୱାସ୍ଥ୍ୟ କଭରେଜ ଦେବାପାଇଁ ସରକାର ୨୦୧୮ ମସିହାରେ ଆୟୁଷ୍ମାନ ଭାରତ ଯୋଜନା ପ୍ରଚଳନ କରିଥିଲେ। ଏଥିରେ କରୋନା ଭାଇରସ ମହାମାରୀରେ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସମସ୍ତଙ୍କ ପହଞ୍ଚି ଲାଗି ଏହି ଋଣ ମଞ୍ଜୁର କରାଯାଉଥିବା ତାକେଓ କୋନିଶି କହିଛନ୍ତି।

ଏହି ଋଣ ରାଶିରେ ଦେଶର ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୁଜରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା ବିକାଶ କରାଯିବ।