୧୫୦ ତଳେ ସଂକ୍ରମଣ: ପୁଣି ୬ ମୃତ, ୬ ଜିଲ୍ଲାରେ ଟିପିଆର୍ ଶୂନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫୦ ତଳକୁ ଖସିଛି। ମୋଟ୍ ୫୦ ହଜାର ୪୮୧ ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଟିପିଆର୍‌ (ଟେଷ୍ଟ ପଜିଟିଭିଟି ରେଟ୍‌)୦.୨୮% ରହିଛି। ଟେଷ୍ଟିଂ ଏବଂ ଆକ୍ରାନ୍ତଙ୍କ ଚିହ୍ନଟ ଅନୁଯାୟୀ ରାଜ୍ୟରେ ପିଜିଟିଭି ରେଜଲ୍ଟ ମାତ୍ର ୪.୩୮% ରହିଥିବା ବେଳେ ନେଗେଟିଭି ରେଜଲ୍ଟ ସର୍ବାଧିକ ୯୫.୬୨% ରହିଛି। ଆଜି ଗଜପତି ଜିଲ୍ଲାରେ ୧୦୭୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ଟିପିଆର୍ ସର୍ବାଧିକ ୧.୮୬% ରହିଛି।

ସେହିପରି ରାଜ୍ୟରେ ୧୦ ଉପରକୁ ରହିଥିବା ଆକ୍ରାନ୍ତଙ୍କ ଜିଲ୍ଲାୱାରୀ ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ୩୦୨୮ ଟେଷ୍ଟିଂ ହୋଇଥିବା ବେଳେ ୧୧ଜଣ(ଟିପିଆର୍‌-୦.୩୬%), ଝାରସୁଗୁଡ଼ା ୧୧୮୫ ଟେଷ୍ଟିଂ ହୋଇଥିବା ବେଳେ ୧୦ଜଣ(ଟିପିଆର୍‌-୦.୮୪%), କେନ୍ଦ୍ରାପଡ଼ାରେ ଟେଷ୍ଟିଂ ୨୫୩୦ ହୋଇଥିବା ବେଳେ ୧୩( ଟିପିଆର-୦.୫୧%), ସମ୍ବଲପୁରରେ ଟେଷ୍ଟିଂ ୨୫୮୧ ହୋଇଥିବା ବେଳେ ୧୧(ଟିପିଆର୍‌-୦.୪୩%), ଖୋର୍ଦ୍ଧାରେ ୩୮୨୮ ଟେଷ୍ଟିଂରେ ୮ (ଟିପିଆର୍‌-୦.୨୧%) ଏବଂ କଟକରେ ୩୮୦୭ ଟେଷ୍ଟିଂ ହୋଇଥିବା ବେଳେ ୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ଟିପିଆର୍ ୦.୨୧% ରହିଛି।

ସେହିପରି ରାଜ୍ୟରେ ୬ଟି ଜିଲ୍ଲା ମଧ୍ୟରୁ ଦେଓଗଡ଼ରେ ୭୦୨ ଟେଷ୍ଟିଂ ହୋଇଥିବା ବେଳେ ମାଲକାନଗିରିରେ ୬୪୪, ଢ଼େଙ୍କାନାଳରେ ୧୮୪୬, କେନ୍ଦୁଝରରେ ୧୪୪୩, କଳାହାଣ୍ଡିରେ ୯୭୧ ଏବଂ ନୂଆପଡ଼ା ଜିଲ୍ଲାରେ ୧୧୫୧ ଟେଷ୍ଟିଂ କରାଯାଇଥିଲା। ମାତ୍ର ଏହି ସମସ୍ତ ଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଫଳରେ ସମ୍ପୃକ୍ତ ଜିଲ୍ଲାରେ ଟିପିଆର୍ ୦% ରହିଛି।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୮ଜଣ ରହିଛନ୍ତି।

ରାଜ୍ୟରେ ଅନ୍ୟ ଜିଲ୍ଲାର ରିପୋର୍ଟ ଅନୁଯାୟୀ, ସୁନ୍ଦରଗଡ଼ରୁ ୯ ଜଣ, ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ଲେଖାଏଁ, ମୟୂରଭଞ୍ଜରୁ ୭ ଜଣ, କୋରାପୁଟ ଓ ସୋନପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୩ ଜଣ, ଭଦ୍ରକ,ଗଞ୍ଜାମ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗିର, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍‌ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ସେହିପରି ଆଜି ପୁଣି ୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୮୫କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ସୁନ୍ଦରଗଡ଼, ମୟୁରଭଞ୍ଜ, ଗଞ୍ଜାମ, କଟକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।