ତାଇପେଇ,ଏଜେନ୍ସି: ଚୀନ-ତାଇଓ୍ବାନ ବିବାଦ ମଧ୍ୟରେ ଜାରି ରହିଥିବା ତିକ୍ତତା କ୍ରମଶଃ ବଢିବାରେ ଲାଗିଛି । ଆଜି ତାଇଓ୍ବାନ ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସ୍ପିକର ନାନ୍ସି ପେଲୋସି ସ୍ବେଦେଶ ଫେରିବା ପରେ ପୁଣି ଶକ୍ତି ପ୍ରଦର୍ଶନ କରିଛି ଚୀନ । ତାଇଓ୍ବାନ ବାୟୁସୀମାରେ ଚୀନ ବାୟୁସେନାର ୨୭ରୁ ଅଧିକ ଲଢୁଆ ବିମାନ ପ୍ରବେଶ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଚୀନ ଯୁଦ୍ଧ ବିମାନର ଅନୁପ୍ରବେଶ ନେଇ ତାଇଓ୍ବାନ ପକ୍ଷରୁ ମଧ୍ୟ ଦାବି କରାଯାଇଥିବା ଦେଖିବାକୁ ମିଳିଛି ।
ଗତକାଲି ମଧ୍ୟ ଏପରି ସମାନ ଘଟଣା ଦେଖିବାକୁ ମିଳିଥିଲା । ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଥିଲା, ଚୀନ ସେନାର ୨୧ ଲଢୁଆ ବିମାନ ତାଇଓ୍ବାନ ବାୟୁସୀମାରେ ପ୍ରବେଶ କରିଥିଲେ । ଦ୍ବୀପରାଷ୍ଟ୍ର ତାଇଓ୍ବାନର ଦକ୍ଷିଣ-ପଶ୍ଚିମ ବାୟୁସୀମାର ପ୍ରବେଶ କରି ଏହି ଲଢୁଆ ବିମାନଗୁଡିକ କିଛି ସମୟ ଶକ୍ତି ପ୍ରଦର୍ଶନ କରି ପୁଣି ଫେରି ଯାଇଥିଲା । ଚୀନ ବାୟୁସେନା ତାଇଓ୍ବାନକୁ କ୍ରମାଗତ ଭୟଭୀତ କରିବାରେ ଲାଗିଛି ।