ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ପ୍ରତ୍ତି ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବତଟ ରେଳପଥ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସୃଷ୍ଟି କରିଛି ମାଇଲଖୁଣ୍ଟ। ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କ୍ଷେତ୍ରରେ ଅଗ୍ରଣୀ ରେଳପଥ ପାଲଟିଛି ପୂର୍ବତଟ ରେଳପଥ। ପୂର୍ବତଟ ରେଳପଥ ପରିସୀମାରେ ୨୬୦୦ ଟନ୍ ଅକ୍ସିଜେନ୍ ପରିବହନ ହୋଇଛି।
ପୂର୍ବତଟ ରେଳପଥ ପରିସୀମାରୁ ୪୦ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ରାଜ୍ୟକୁ ଗଡିଛି। ଏଥିମଧ୍ୟରୁ ହରିୟାଣା ଏବଂ ଦିଲ୍ଲୀକୁ ୧୦୧୦.୦୯ ଟନ୍ ଅମ୍ଳଜାନ ପରିବହନ ହୋଇଛି। ଅକ୍ସିଜେନ ଏକ୍ସପ୍ରେସ ଗନ୍ତବ୍ୟସ୍ଥଳକୁ ଯିବା ବାଟରେ ଟ୍ରେନର କର୍ମଚାରୀ ଓ ସହାୟକ ସଦସ୍ୟମାନଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ଖାଦ୍ୟ ପ୍ୟାକେଟ୍ ଯୋଗାଇ ଦିଆଯାଉଛି। ପୂର୍ବତଟ ରେଳପଥ ମଧ୍ୟରେ ଅମ୍ଳଜାନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଇଛି।
ମହାମାରୀ ସମୟରେ ଅମ୍ଳଜାନ ଅଭାବୀ ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି। ଆଜି ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୬୦୦.୦୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରିଛି। ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ, ବିଶାଖାପଟନମରୁ ମହାରାଷ୍ଟ୍ରର ନାସିକକୁ ପରିବହନ କରାଯାଇଛି। ସେହିପରି ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ୪୦ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଦ୍ୱାରା ୧୬୨ କଣ୍ଟେନରରେ ତରଳ ମେଡିକାଲ୍ ଅମ୍ଳଜାନ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରିଛି। ଦୁର୍ଗାପୁର, ଟାଟାନଗର ଏବଂ ରାଉରକେଲାରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଛି। ଅମ୍ଳଜାନ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରୁ ପ୍ରାୟ ଅଧା ଦିଲ୍ଲୀ ଏବଂ ହରିୟାଣା ଯାଇଛି।
ଦିଲ୍ଲୀ ଏବଂ ହରିୟାଣାକୁ ୧୯ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନରେ ୬୩ ଟି କଣ୍ଟେନର ମାଧ୍ୟମରେ ପ୍ରାୟ ୧୦୧୦.୦୯ ଟନ ଅକ୍ସିଜେନ ପରିବହନ କରାଯାଇଛି। ଏହା ବ୍ୟତୀତ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟକୁ ପଠାଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ମହାରାଷ୍ଟ୍ରକୁ ୫୪୫.୩୧ ଟନ୍, କେରଳକୁ ୧୧୭.୯ ଟନ୍, ତେଲେଙ୍ଗାନାକୁ ୬୮୫.୭ ଟନ୍, ତାମିଲନାଡୁକୁ ୧୨୦ ଟନ୍ ଏବଂ କର୍ଣ୍ଣାଟକକୁ ୧୨୦.୯୮ ଟନ୍ ପରିବହନ କରିଛି। ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ମାଧ୍ୟମରେ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି।