ଗୁଆହାଟୀ/ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବୋତ୍ତର ରାଜ୍ୟ ଆସାମରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ରାଜ୍ୟର ୨୬ଟି ଜିଲ୍ଲାବାସୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କଛାର ଜିଲ୍ଲାରେ ସ୍ଥିତି ଅଧିକ ଖରାପ ରହିଛି। ଭାରତୀୟ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହିତ କଥା ହୋଇ ବନ୍ୟା ସଂପର୍କିତ ଅସୁବିଧା ଉପରେ ଅବଗତ ହୋଇଛନ୍ତି। ଶ୍ରୀ ଶାହ ଯଥା ସମ୍ଭବ ସହାୟତା ଯୋଗାଇବେ ବୋଲି ଆଶ୍ୱାସନ ଦେଇଛନ୍ତି।
ଗୃହମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ଆସାମର କିଛି ସ୍ଥାନରେ ପ୍ରବଳ ବର୍ଷା କାରଣରୁ ଉପୁଜିଥିବା ପରିସ୍ଥିତି ନେଇ ଚିନ୍ତିତ ଅଛି। ସ୍ଥିତି ସଂପର୍କରେ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହିତ କଥା ହୋଇଛି। ଏନଡିଆରଏଫ ଟିମ୍ ପୂର୍ବରୁ ମୁତୟନ କରାଯାଇଛି। କେନ୍ଦ୍ର ସରକାର ଯଥା ସମ୍ଭବ ସହାୟତା ଯୋଗାଇବ।
ଆସାମର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଜୋଗନ ମୋହନ ୨୭ ନମ୍ବର ଜାତୀୟ ରାଜପଥ ଉପରେ ମାଇବାଙ୍ଗ ସୁଡ଼ଙ୍ଗର ନିରୀକ୍ଷଣ କରିଛନ୍ତି। ଭାରତୀୟ ସେନା କଛାର ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରୁଛି। ସେନା ଓ ଆସାମ ରାଇଫଲ୍ସ ଟିମର ଯବାନମାନେ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ବନ୍ୟାରେ କଛାର ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାରେ ୫୫ଟି ଶିବିର କରାଯାଇଛି। ସେହିପରି ୧୨ଟି ବିତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୩୨,୯୫୯ ଲୋକ ବାତ୍ୟା ଆଶ୍ରୟ ସ୍ଥଳୀରେ ଅଛନ୍ତି। ଜୋରହାଟ ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।