ଗୁଜରାଟରେ ପୁଣି ବଢ଼ିଲା କରୋନା; ଅହମ୍ମଦାବାଦରେ ଏକ ସଂସ୍ଥାରେ ୨୪ ପଜିଟିଭ୍‌, କ୍ୟାମ୍ପସରେ କଣ୍ଟେନମେଣ୍ଟ ଜୋନ୍

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟରେ ପୁଣି ଥରେ କରୋନା ଭାଇରସ ଉପରମୁହାଁ ହୋଇଛି। ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ ଡିଜାଇନରେ ୨୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୭୮ ଜଣଙ୍କୁ ସଂଗରୋଧରେ ରଖାଯାଇଛି।

ଅହମଦାବାଦ ନଗର ନିଗମ ଏହି କାରଣରୁ ଏନ୍‌ଆଇଡିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ଏନ୍‌ଆଇଡିର ଛାତ୍ରଛାତ୍ରୀମାନେ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗୁଜରାଟର କୌଣସି ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଥର ପାଇଁ ଏତେ ପରିମାଣରେ କୋଭିଡ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗାନ୍ଧୀନଗରରେ ଗୁଜରାଟ ନ୍ୟାସନାଲ ଲ’ ୟୁନିଭରସିଟିରେ ଗତମାସ ୧୬୨ ଜଣ କରୋନା ପଜିଟିମ ଚିହ୍ନଟ ହୋଇଥିଲେ। ଏବେ ଜିଏନ୍‌ଏଲୟୁ କୋଭିଡ ମୁକ୍ତ ଅଛି। ଗୁଜରାଟ ସମେତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୭ ତାରିଖରେ ଦେଶରେ ୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମେ’ ୮ ତାରିଖରେ ଏହି ସଂଖ୍ୟା ୩୪୫୧।

ଚୀନରେ କରୋନାର ପ୍ରକୋପ ଜାରି ରହିଥିବାରୁ ସେଠାକାର ସରକାର ଲକଡାଉନ ଆରମ୍ଭ କରିଦେଇଛନ୍ତି। ସାଂଘାଇରେ ସବୁଠାରୁ ସ୍ଥିତି ଅଧିକ ଖରାପ ରହିଛି। ଲୋକମାନଙ୍କୁ ଘର ଭିତରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।