ଟିପିଏସ୍‌ଓଡିଏଲ୍ ପକ୍ଷରୁ ୨୪ ଘଣ୍ଟିଆ କଲ୍ ସେଣ୍ଟର୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଓଡ଼ିଆ ନବବର୍ଷ ଅବସରରେ ୫୦ ସିଟ୍ ବିଶିଷ୍ଟ କଲ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି କଲ୍‌ସେଣ୍ଟରରେ ଏକ ସମନ୍ୱିତ ଇଣ୍ଟର ଆକ୍ଟିଭ୍ ଭଏସ୍ ରେସ୍‌ପନ୍‌ସ ସିଷ୍ଟମ୍ (ଆଇଭିଆର୍‌ଏସ୍‌), କମ୍ପ୍ୟୁଟର ଟେଲିଫୋନି ଇଂଟିଗ୍ରେସନ (ସିଟିଆଇ) ଓ ଗ୍ରାହକ ସମ୍ପର୍କ ପରିଚାଳନା (ସିଆର୍‌ଏମ୍‌)ର ବ୍ୟବସ୍ଥା ରହିଛି।

ଦେୟମୁକ୍ତ (ଟୋଲ୍ ଫ୍ରି) ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ ରହିଛି ଯାହା ବର୍ଷତମାମ ଚବିଶ ଘଣ୍ଟା ଉପଲବ୍ଧ। ଏହି ଦେୟମୁକ୍ତ ନମ୍ବରକୁ ଉଭୟ ମୋବାଇଲ୍ ଓ ଲ୍ୟାଣ୍ଡ୍‌ଲାଇନ୍‌ରେ କଲ୍ କରିହେବ। ସମସ୍ତ ଅଭିଯୋଗ ପାଇଁ ଗୋଟିଏ ସମାଧାନ କେନ୍ଦ୍ର ଭାବେ ଆମେ କଲ୍ ସେଂଟର ସେବାର ଶୁଭାରମ୍ଭ କରିଛୁ ବୋଲି କହିଛନ୍ତି ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ। ଆମ ମୂଲ୍ୟବାନ ଗ୍ରାହକଙ୍କ ପ୍ରଶ୍ନଗୁଡ଼ିକୁ ସ୍ୱଳ୍ପ ସମୟ ଭିତରେ ସମାଧାନ କରିବାରେ ଏହା ସହାୟକ ହେବ।